ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ ସିଟି ମନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ସିଟି କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି। ଏ ନେଇ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ଯେ, କଟକ, ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। ତେଣୁ ଯେଉଁମାନେ ଟୁଇନ୍‌ସିଟିକୁ ଯିବାଆସିବା କରୁଛନ୍ତି ତୁରନ୍ତ ବନ୍ଦ କରନ୍ତୁ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜିଲାବାସୀଙ୍କୁ ଜିଲାର ସରକାରୀ ଅଫିସ ଯିବାକୁ ମଧ୍ୟ ବାରଣ କରାଯାଇଛି। ଜରୁରୀ କାମ ନ ଥିଲେ ସରକାରୀ ଅଫିସ୍‌କୁ ଆସନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିଜର ଆପତ୍ତି ଅଭିଯୋଗ ଜଣାଇବାକୁ ସେ କହିଛନ୍ତି।