ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହିତ ଜନସାଧାରଣ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ଏବଂ ଲୋକଙ୍କୁ ଏଥିରେ ସହଭାଗୀ କରାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ଜିଲାର ୧୭ ଗୋଟି ପଞ୍ଚାୟତକୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜଗନ୍ନାଥପୁର ପଞ୍ଚାୟତ ନିର୍ବାହୀ ଅଧୂକାରୀ ତାପସ କୁମାର ସାହୁ, ଏଡିଇଓ ବସନ୍ତ ସା ପ୍ରମୁଖ ଉପସ୍ଥିତ ରହି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି ଖବର ମିଳିବା ପରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିବା ସହିତ ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ବୋଲି ବିଡିଓ ଶଶାଙ୍କ ପାତ୍ର ପ୍ରକାଶ କରିଛନ୍ତି।