ଖୁବ୍‌ଶୀଘ୍ର ଜଗନ୍ନାଥଙ୍କୁ ଜେରା କରାଯିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବେକ କାଟି ହତ୍ୟା ଘଟଣାକୁ ୨ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହୋଇଯାଇଥିଲେ ମଧ୍ୟ କାରଣକୁ ନେଇ ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପଟେ ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ ହତ୍ୟା କରିଥିବା ନେଇ ପୋଲିସ ସ୍ପଷ୍ଟ କରିଥିବା ବେଳେ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଘଟଣାର ସମସ୍ତ ଦିଗ ଉପରୁ ପରଦା ହଟିପାରି ନାହିଁ। ତେବେ ଏମ୍ସରେ ଅପରେଶନ୍‌ ପରେ ଜଗନ୍ନାଥର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରାଯିବାରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଖୁବ୍‌ଶୀଘ୍ର ଡାକ୍ତର ଡିସ୍‌ଚାର୍ଜ କରିପାରନ୍ତି। ଡିସ୍‌ଚାର୍ଜ ପରେ ଜଗନ୍ନାଥଙ୍କୁ ପୁଣିଥରେ ଜେରା କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ହତ୍ୟା ଘଟଣାର ପ୍ରମାଣ ଯୋଗାଡ଼ କରିବା ପାଇଁ କମିଶନରେଟ ପୋଲିସର ୫ ଜଣିଆ ଟିମ୍‌ ଯାଜପୁର ଜିଲା କୁଆଖିଆ ଯାଇ ତଦନ୍ତ କରିଥିଲା। ଏବେ ପୋଲିସ ମେଡିକାଲରୁ ଜଗନ୍ନାଥଙ୍କ ଫେରିବା ବାଟକୁ ଚାହିଁ ବସିଛି। ଫଳରେ ହତ୍ୟା ବାବଦରେ ଭଲରେ ଜେରା କରାଯାଇ ତାଙ୍କୁ ଜେଲ୍‌ ପଠାଯିବା ସହ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇପାରିବ।
ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ଘର ଯାଜପୁର ହୋଇଥିବା ବେଳେ ବାହାଘର ପରେ ସେ ସ୍ବାମୀଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ଭଡ଼ା ନେଇ ରହୁଥିଲେ। ତେବେ ଗତ ୫ତାରିଖରେ ଯାଜପୁର ବଡ଼ମଙ୍ଗଳପୁରର ଜଗନ୍ନାଥ ପ୍ରିୟଙ୍କା ରହୁଥିବା ଘରେ ପଶି ତାଙ୍କ ବେକ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଜବତ କରିବା ସହ ଜଗନ୍ନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲା। ତେବେ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ସେ ଭଲ ପାଉଥିଲେ ଓ ତାଙ୍କ ସହ ତିକ୍ତତା ଥିବାରୁ ଈର୍ଷାପରାୟଣ ହୋଇ ହତ୍ୟା କରିଥିବା ଜଗନ୍ନାଥ ପୋଲିସ ଆଗରେ ମାନିଥିଲେ। ଏଥିସହ ଘଟଣାସ୍ଥଳରୁ ଜଗନ୍ନାଥଙ୍କ ହାତଲେଖା ଏକ ଚିଠି ମଧ୍ୟ ପୋଲିସକୁ ମିଳିଥିଲା; ଯେଉଁଥିରୁ ସେ ପ୍ରିୟଙ୍କା ଓ ତାଙ୍କ ୩ବର୍ଷର ଶିଶୁ ପୁତ୍ରଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖିଥିଲେ। ଏଥିରୁ ଜଗନ୍ନାଥ ଯୋଜନାବଦ୍ଧ ଭାବେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷେ ଘଟଣା ସମୟରେ ଉପର ଘରେ ରହୁଥିବା ଘର ମାଲିକଙ୍କ ପାଖରେ ଶିଶୁଟି ଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।