ମୋବାଇଲ ପାଇଁ ଜୀବନ ନେଇଥିଲେ ଜଗନ୍ନାଥ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୋବାଇଲ୍‌ ଫୋନ୍‌କୁ ନେଇ ମଦ ନିଶାରେ ସାଥୀ ଡ୍ରାଇଭର ଅଶୋକ ସେଠୀଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ଜଗନ୍ନାଥ ଧୀବର। ଗାଡି ଜଗ୍‌ ରଡ୍‌ରେ ମୁଣ୍ଡକୁ ପିଟିବା ପରେ ତଣ୍ଟିଚିପି ଦେଇଥିଲେ। ଏଥିରେ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ତଦନ୍ତବେଳେ ପୋଲିସ ଏହା ଜାଣିବା ପରେ ଅଟକ ଥିବା ଜଗନ୍ନାଥଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆକ୍ରମଣରେ ବ୍ୟବହୃତ ୨ଟି ଗାଡ଼ି ଜଗ୍‌ ରଡ଼ ଓ ରକ୍ତଭିଜା ଗଞ୍ଜିକୁ ଜବତ କରିଛି ପୋଲିସ। ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଅନୁଗୋଳ ଜିଲା ପାଲଲହଡା ଥାନାଞ୍ଚଳରେ ହୋଇଥିବାବେଳେ ତାଙ୍କ ନାମରେ ସ୍ଥାନୀୟ ଥାନାରେ ୩ଟି ମାମଲା ରହିଛି। ୨୦୧୬ରେ ପାଲଲହଡାରେ ଜଣେ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରିବା ପରେ ପୋଡି ହତ୍ୟା କରିବା ମାମଲାରେ ଜଗନ୍ନାଥ ଜେଲ ଯାଇଥିଲେ ବୋଲି ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।
ଠିକାଦାର ବିପିନି ବିହାରୀ ମୁଖୀ ସ୍ବେରେଜ୍‌ ଲାଇନ୍‌ କାମ କରୁଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଧୀବର, ମୃତ ଅଶୋକ ସେଠୀ, କେନାଲୁ ଭୋଇ ଓ ରାଜକୁମାର ନାୟକ ତାଙ୍କ ଗାଡିର ଡ୍ରାଇଭର ଓ ହେଲପର ଭାବେ କାର୍ଯ୍ୟ କରିବା ସହ ସ୍ବେରେଜ ଟାଙ୍କି ସଫା କରିବାରେ ନିୟୋଜିତ ଥିଲେ। ସମସ୍ତେ ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରସ୍ଥିତ ବିପିନଙ୍କ ଏକ ଗ୍ୟାରେଜ ଥିବା ୩ ମହଲା ବିଶିଷ୍ଟ କୋଠାରେ ରହୁଥିଲେ। ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ରାଇଭର ଜଗନ୍ନାଥ, ଅଶୋକ ସେଠୀ ଏବଂ ହେଲପର କେନାଲୁ ମଦ୍ୟପାନ କରିଥିଲେ। ଏହି ସମୟରେ ଅଶୋକ ସାଥୀ ଡ୍ରାଇଭର ତଥା ଅଭିଯୁକ୍ତ ଜଗନ୍ନାଥଙ୍କ ମୋବାଇଲ ଫୋନ୍‌କୁ ନେଇ ଆଉ ଫେରାଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲ୍‌ପର କେନାଲୁ ସେମାନଙ୍କୁ ବୁଝାଶୁଝା କରିବା ପରେ ଜଗନ୍ନାଥଙ୍କୁ କୋଠାର ତୃତୀୟ ମହଲାକୁ ନେଇଯାଇଥିଲେ। ଅଶୋକ ତଳ ମହଲାକୁ ଶୋଇବାକୁ ଚାଲିଯାଇଥିଲେ। କିନ୍ତୁ ମଦନିଶାରେ ଥିବା ଜଗନ୍ନାଥ କ୍ରୋଧରେ ଅଶୋକଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଥିଲେ। କେନାଲୁ ଶୋଇଯିବା ପରେ ଜଗନ୍ନାଥ ଏକ ଜଗ୍‌ ରଡ଼ ଧରି ତଳ ମହଲାକୁ ଯାଇ ଅଶୋକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଅଶୋକଙ୍କ ମୁଣ୍ଡ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବାବେଳେ ଜଗନ୍ନାଥ ଅଶୋକଙ୍କ ପିନ୍ଧିଥିବା ବାନିୟାନକୁ ଟାଣି ନେଇ ତାଙ୍କ ଗଳାକୁ ଚିପି ହତ୍ୟା କରିଥିଲେ। ଅଶୋକ ଚେତାଶୂନ୍ୟ ହୋଇଯିବା ପରେ ଅଭିଯୁକ୍ତ ଜଗନ୍ନାଥ ପୁଣି ଉପର ମହଲାକୁ ଯାଇ କେନାଲୁଙ୍କ ପାଖରେ ଶୋଇଯାଇଥିଲେ। ସକାଳେ ଘଟଣା ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥ, କେନାଲୁ ଓ ରାଜକୁମାରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ଏହି ଘଟଣାରେ କେବଳ ଜଗନ୍ନାଥଙ୍କର ସମ୍ପୃକ୍ତି ଥିବା ଜଣାପଡିବା ପରେ ପୋଲିସ ଅନ୍ୟ ୨ ଜଣଙ୍କୁ ଛାଡିଦେଇଛି।