ସୁନାବେଶରେ ଜଗନ୍ନାଥ

ବାଲେଶ୍ୱର ଅଫିସ, ୩୦।୧୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥଙ୍କର ୮ମ ପଟୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ଉଠିବା ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ମାତା ସୁଭଦ୍ରା ଦେବୀଙ୍କ ସୁନାବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ। ସକାଳ ୭ଟା ୪୨ମିନିଟ୍‌ରେ ୧୦୮ କଳସଯାତ୍ରା ଶେଷ ହେବା ପରେ ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ ଅନୁଷ୍ଠିତ ହୋଇଥିଲା। ୮ଟା ୩୦ମିନିଟ୍‌ରେ ଗର୍ଭଗୃହ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ମାତା ସୁଭଦ୍ରା ଦେବୀଙ୍କର ଅପୂର୍ବ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟା ୫୩ମିନିଟ୍‌ରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ସେହିପରି ୩ଟା ୩୦ମିନିଟ୍‌ରୁ ୫ଟା ପର୍ଯ୍ୟନ୍ତ ରଙ୍ଗୋଲି ପ୍ରତିଯୋଗିତା, ୫ଟା ୩୦ମିନିଟ୍‌ରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୯ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା। ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭଜନସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଇମାମୀ ଗ୍ରୁପ୍‌ର ନିର୍ଦ୍ଦେଶକ ତଥା ଜଗନ୍ନାଥ ମନ୍ଦିର ମୁଖ୍ୟ ପୃଷ୍ଠପୋଷକ ସୁଶୀଲ କୁମାର ଗୋୟେଙ୍କା, ସ୍ଥାନୀୟ କାଗଜକଳର ସଭାପତି ଆଶିଷ ଅବିନାଶ ଗୁପ୍ତା, ଉପସଭାପତି ରାଜେଶ କୁମାର ମିତ୍ତଲ, ସାଧାରଣ ପରିଚାଳକ ଡ. ୟୁସୁଫ୍‌ ଅଲ୍ଲୀ ସୋଲାଙ୍କି ତଥା ବରିଷ୍ଠ ଅଧିକାରୀ ଦେବବ୍ରତ ହୋତା, ରମେଶ ଚନ୍ଦ୍ର ଖୁଣ୍ଟିଆ, ଓମ୍‌ ପ୍ରକାଶ ଶର୍ମା, ମନୋଜ କୁମାର ପାଢ଼ୀ, ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଳ ରଞ୍ଜନ ଦାସସାମନ୍ତରାୟ, ଇମାମୀ ଲେଡ଼ିଜ କ୍ଲବ ସଭାପତି ବନ୍ଦନା ଗୁପ୍ତା ପ୍ରମୁଖ ଯୋଗଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ଏବଂ ତାଙ୍କର ସହଯୋଗୀମାନେ ପୂଜାର୍ଚ୍ଚନା ସମାପନ କରିଥିବାବେଳେ ରେମୁଣା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ କୃତଜ୍ଞତା ଜ୍ଞାପନ କରିଥିଲେ।