ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଲୋଡ଼ା

ସାରା ଜଗତର ପାଳନକର୍ତ୍ତା ପ୍ରଭୁ ଜଗନ୍ନାଥ ଓଡ଼ିଶାରେ କୋଉ ଆଦିମ କାଳରୁ ପୂଜା ପାଇଆସୁଛନ୍ତି । ବାର ଶହ ଶତାବ୍ଦୀରେ ନିର୍ମିତ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ଭାରତ ଓ ଭାରତ ବାହାରେ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ଆଜି ପ୍ରତ୍ୟେକ ଭାରତୀୟ ଜଗନ୍ନାଥଙ୍କୁ ଜୀବନରେ ଥରେ ଦର୍ଶନ କରିବା ପାଇଁ ଅଭିଲାଷ ରଖିଥା’ନ୍ତି। ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତିର ଆଧ୍ୟାତ୍ମିକ ବିକାଶ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ନୌବାଣିଜ୍ୟ, ଓଡ଼ିଶାର ସାଂସ୍କୃତିକ ଓ ଆର୍ଥିକ ବିକାଶ ପାଇଁ ଯୁଗ ଯୁଗ ଧରି ପ୍ରେରଣା ଦେଇ ଆସିଛି। ଓଡ଼ିଶୀ ଚିତ୍ର ଓ ନୃତ୍ୟ ଜଗନ୍ନାଥଙ୍କର ଅତି ପ୍ରିୟ ବସ୍ତୁ ମଧ୍ୟରେ ଗଣାଯାଏ। ଆଜି ଓଡ଼ିଶୀ ନୃତ୍ୟ ପରମ୍ପରା, ଗୋଟିପୁଅ ନୃତ୍ୟ ଓ ଓଡ଼ିଶୀ ଚିତ୍ରକଳା ପୁରୀରୁ ପ୍ରାୟ ଲୋପ ପାଇବାକୁ ବସିଲାଣି। ଓଡ଼ିଶାର ଚିତ୍ର ଶିଳ୍ପୀମାନେ ପୁରୀ ମନ୍ଦିରରେ ଥିବା ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ହୋଇଥିବା ଉଚ୍ଚକୋଟୀର ଓଡ଼ିଶୀ ଚିତ୍ରକୁ ନିରୀକ୍ଷଣ କରି ଏହାକୁ ବିଭିନ୍ନ ଗ୍ରେଡ୍‌ ମାଧ୍ୟମରେ ପୁନଃ ପ୍ରସ୍ତୁତ କରିଥାନ୍ତି। ଆଜି ଏହି ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ଚିତ୍ରକୁ ମନ୍ଦିର କାନ୍ଥରେ ଆଉ ଦେଖିବାକୁ ମିଳୁନାହିଁ। ଏହି ଚିତ୍ରଗୁଡ଼ିକୁ ଅଭିଜ୍ଞ ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗର ବ୍ୟବହାର କରି ମରାମତି କରାଯାଇପାରିଥାନ୍ତା। ଆଜି ଅନେକ କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ପୂର୍ବରୁ ହୋଇଥିବା ଏହି ଓଡ଼ିଶୀଚିତ୍ରକୁ ତିଆରି କରିବା କଷ୍ଟକର।
ମନ୍ଦିର ପାଦଦେଶରେ ହୋଇଥିବା ଅତି ସୂକ୍ଷ୍ମ ପୌରାଣିକ, ସାମାଜିକ, ସାମରିକ, ପାରିବାରିକ ଓ ସାଂସ୍କୃତିକ ବିଷୟବସ୍ତୁଗୁଡ଼ିକ ଦୁଇ ଇଞ୍ଚରୁ ଛ’ ଇଞ୍ଚ ଉଚ୍ଚତା ଭିତରେ ଅତି ନିଖୁଣ ଭାବରେ ପଥର କାନ୍ଥରେ ଖୋଦେଇ କରାଯାଇଛି। ଅଦ୍ଭୁତ ଓ ଅନନ୍ୟ ଏହି ଉତ୍କଳୀୟ ଶିଳ୍ପୀ ପରମ୍ପରା। ମନ୍ଦିର ପାଦଦେଶରେ ହୋଇଥିବା ଅତି ଛୋଟ ଛୋଟ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିକର ଆକାର ମନ୍ଦିରର ଉପରକୁ ଉପରକୁ ଆକାରରେ ବଡ଼ ହେଉଥିବାର ଦେଖିବାକୁ ମିଳୁଛି। ଦେବ, ଦେବୀ, ମନୁଷ୍ୟ, ସାମାଜିକ, ସାଂସ୍କୃତିକ, ସମର ଅଭିଯାନ, ରାଜକାର୍ଯ୍ୟ, ପୂଜା ପଦ୍ଧତି, ରୀତି, ନୀତି, ପୁଷ୍ପ, ଲତା, ଗଛ, ପଶୁ, ପକ୍ଷୀ, ବିଭିନ୍ନ ପ୍ରକାରର ବସ୍ତ୍ର, ଅଳଙ୍କାର ଓ ଉପାସନା ପଦ୍ଧତି ଇତ୍ୟାଦି ସତେ ଯେପରି ଜୀବିତ ଅଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର କେବଳ ଜଗନ୍ନାଥ କିମ୍ବା କଳ୍‌କି ଅବତାରଙ୍କ ଆବାସ ସ୍ଥଳୀ ନୁହେଁ। ଏହା ପ୍ରାଚୀନ ଉତ୍କଳୀୟମାନଙ୍କର ଉନ୍ନତ ସାମାଜିକ, ସାଂସ୍କୃତିକ, ସାମରିକ, ଅର୍ଥନୈତିକ ଓ ପାରିବାରିକ ଜୀବନର ଏକ ପ୍ରତିବିମ୍ବ।
ଦୁଃଖର କଥା, ଏହି ବିଶ୍ୱପ୍ରସିଦ୍ଧ କାରୁକାର୍ଯ୍ୟ ଆଉ ସୁରକ୍ଷିତ ଲାଗୁନାହିଁ। ଅନେକ ଜାଗାରେ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର କାନ୍ଥଗୁଡିକ ସିମେଣ୍ଟ ପଲସ୍ତରା ହେଲା ଭଳି ଦେଖାଯାଉଛି। ମହାଲକ୍ଷ୍ମୀ ମନ୍ଦିର କାନ୍ଥରେ ଲଗାଯାଇଥିବା କେତୋଟି ନିମ୍ନମାନର ନୂତନ ମୂର୍ତ୍ତି ମନ୍ଦିରର ଶୋଭାକୁ ନଷ୍ଟ କରିଦେଲା ଭଳି ଲାଗେ। ଓଡ଼ିଶା ସରକାର ତୁରନ୍ତ ଅଭିଜ୍ଞ ପ୍ରତ୍ନତତ୍ତ୍ବବିତ୍‌ ଓ ଗବେଷକଙ୍କ ଦ୍ୱାରା ଏହାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଦରକାର। କୌଣସି ବିଶେଷ କାରଣରୁ ମନ୍ଦିର ବାହାରକୁ ସ୍ଥାନାନ୍ତରିତ ହୋଇଥିବା ମୂର୍ତ୍ତି କିମ୍ବା କାରୁକାର୍ଯ୍ୟପୂର୍ଣ୍ଣ ପ୍ୟାନେଲଗୁଡ଼ିକ ତୁରନ୍ତ ପୁନଃ ସ୍ଥାପନ କରାଯିବା ଦରକାର। ପୁରୀ ଜଗନ୍ନାଥ ମନ୍ଦିରର ପ୍ରକୃତ ରକ୍ଷକ ହେଲେ ଜଗନ୍ନାଥଙ୍କ ସେବକମାନେ।
ଆଜି ମଧ୍ୟ ଜଗନ୍ନାଥ ମନ୍ଦିରରେ ଅନେକ ବରିଷ୍ଠ, ନିଷ୍ଠାପର ଓ ସଚ୍ଚୋଟ ସେବକ ଶ୍ରୀମନ୍ଦିରର ପ୍ରତିଷ୍ଠା ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଛନ୍ତି। ଯୁବପିଢ଼ି ଏହି ବରିଷ୍ଠ ଓ ନିଷ୍ଠାପର ସେବକମାନଙ୍କ ମାର୍ଗ ଦର୍ଶନରେ ପରିଚାଳିତ ହେଲେ ପୁରୀର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପରିବେଶରେ ଅନେକ ସୁଧାର ହେବ। ଏହା ପୁରୀର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ। ସ୍ଥାୟୀ ବାସିନ୍ଦାମାନେ ପୁରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ଓ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଯୁଗ ଯୁଗ ଧରି ଅନେକ ବଳିଦାନ ଦେଇଆସିଛନ୍ତି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପୁରୀରେ ଥିବା ଜାଗା ଘର, ଓଡ଼ିଶୀ ଚିତ୍ର ଓ ନୃତ୍ୟ ପରମ୍ପରା, ପଥର କାମ, ଖଡ଼ିପଥର କାମ ଓ ସୋଲ କାମ ପରମ୍ପରା ଇତ୍ୟାଦି ସକ୍ରିୟ ହେବା ଦରକାର।
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରି ଜଗନ୍ନାଥ ମନ୍ଦିରରେ ଭି.ଆଇ.ପି. ସଂସ୍କୃତି ନ ଥିଲା। ଏହି ବିଶେଷ ଭି.ଆଇ.ପି. ସୁବିଧାର ଫାଇଦା ଅନେକ ଅଣ-ଭି.ଆଇ.ପି. ମଧ୍ୟ ଉଠାଉଛନ୍ତି। ସରକାର ଓ ମନ୍ଦିର କର୍ତ୍ତୃପକ୍ଷ ଏହି ସୁବିଧାକୁ ତୁରନ୍ତ ରଦ୍ଦ କରିଦେବା ଉଚିତ। କାରଣ ଏହି ଭି.ଆଇ.ପି. ସୁବିଧା ଯୁଗ ଯୁଗରୁ ଗଡ଼ି ଆସୁଥିବା ଜଗନ୍ନାଥ ସଂସ୍କୃତିର ସମାନତା, ଭାବ ଓ ଭକ୍ତି ପରିବେଶକୁ ନଷ୍ଟ କରିଦେଲା ଭଳି ଲାଗେ। ପ୍ରକୃତ ଭକ୍ତି ଥିଲେ ଭି.ଆଇ.ପି. ଭକ୍ତ ପ୍ରାତଃ କାଳ କିମ୍ବା ରାତି ୯ଟା ପରେ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ତୀର୍ଥକ୍ଷେତ୍ର ପୁରୀକୁ ବ୍ୟବସାୟୀକରଣ କରା ନ ଯାଇ ଏହି ସହରର ଆର୍ଥିକ ଗତିବିଧିକୁ ସୁରକ୍ଷିତ ରଖାଯାଇପାରିବ। କାରଣ ଅତ୍ୟଧିକ ବ୍ୟବସାୟୀକରଣ ଅନେକ ସୂକ୍ଷ୍ମ ଆର୍ଥିକ ଗତିବିଧିକୁ ନଷ୍ଟ କରିଦେଇଥାଏ।
ଏହା ଲୋଭରେ ପଡ଼ି ସୁନାଅଣ୍ଡା ଦେଉଥିବା କୁକୁଡ଼ାକୁ ମାରିଦେଲା ପରି ହୋଇଥାଏ।
ପୁରୀରେ ତିଆରି ହେଉଥିବା ବିଭିନ୍ନ କିସମ ମିଠାଗୁଡ଼ିକର ଗୁଣବତ୍ତା, ସହରର ସ୍ବଚ୍ଛତା, ଆଧ୍ୟାତ୍ମିକ ପରିବେଶ, ହସ୍ତଶିଳ୍ପ ପରମ୍ପରା ଓ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସ୍ଥାନୀୟ ଲୋକଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ। କେତେଜଣ ଏଜେଣ୍ଟ ଯାତ୍ରୀମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଉଥିବାର ଦେଖିବାକୁ ମିଳୁଛି। ମନ୍ଦିର ଦ୍ୱାରଗୁଡ଼ିକରେ ଉତ୍ତମ ପୋଲିସ କର୍ମଚାରୀ ମୁତୟନ କରାଗଲେ ଏହି ପ୍ରକ୍ରିୟା ବନ୍ଦ ହୋଇପାରିବ। ମନ୍ଦିର ପ୍ରଶାସନ ପୁରୀର ସ୍ଥାନୀୟ ଲୋକଙ୍କୁ ପ୍ରବେଶ ପାସ ବିତରଣ କଲେ ସେମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ତର, ଦକ୍ଷିଣ କିମ୍ବା ପଶ୍ଚିମ ଦ୍ୱାର ବାଟେ ଯାଇ ଜଗନ୍ନାଥ ଦର୍ଶନ କରିପାରିବେ। ପର୍ବପର୍ବାଣି ଦିନଗୁଡ଼ିକରେ ମନ୍ଦିରରେ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇ ପାରିବ। ମନ୍ଦିର ଭିତରେ ଓ ବାହାରେ ଯେପରି କୌଣସି ଶ୍ରଦ୍ଧାଳୁ ଦୁର୍ବ୍ୟବହାରର ଶିକାର ନ ହୁଅନ୍ତି, ସେଥିପାଇଁ ପ୍ରଶାସନ କଡ଼ା ନଜର ରଖିବା ଉଚିତ। ପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରର ପ୍ରତିଷ୍ଠା ଓଡ଼ିଶା ତଥା ଓଡ଼ିଶା ବାହାରେ ଯେପରି ଅକ୍ଷୁଣ୍ଣ ରହେ, ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଜଗନ୍ନାଥଙ୍କ ବରିଷ୍ଠ ସେବକମାନେ, ମନ୍ଦିର ପ୍ରଶାସନ, ପୁରୀର ସ୍ଥାୟୀ ବାସିନ୍ଦା, ବୁଦ୍ଧିଜୀବୀ, ସରକାର, ସାହି ମୁରବି ଓ ଧାର୍ମିକ ସଂସ୍ଥାମାନେ ଏକଜୁଟ ହୋଇ ଜଗନ୍ନାଥ ସଂସ୍କୃତିର ସୁରକ୍ଷା କରିବା ନିହାତି ଦରକାର। କାରଣ ଏହି ସଂସ୍କୃତିର ଅବକ୍ଷୟ ହେଲେ ଏହା କେବଳ ପୁରୀ ନୁହେଁ, ସାରା ଓଡ଼ିଶାକୁ ପ୍ରାଣଶୂନ୍ୟ କରିଦେବ।

ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri