Categories: ଜାତୀୟ

୧୫୧ ଆସନ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ଜଗନମୋହନ

ଗୁଆହାଟୀ,୨୮।୪: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ୨ବର୍ଷ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ଅଧ୍ୟକ୍ଷ ଜଗନମୋହନ ରେଡ୍ଡୀ ପୁନର୍ବାର କ୍ଷମତାକୁ ଫେରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିକଟରେ ସେ ତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଏବେ ସେ ଦଳୀୟ ନେତା ଓ ବିଧାୟକମାନଙ୍କ ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ସେଥିରେ ଭଲ ସ୍କୋର୍‌ କରିବେ ସେମାନେ ୨୦୨୪ ନିର୍ବାଚନରେ ଟିକେଟ ପାଇଁ ଆଶା କରିପାରିବେ ବୋଲି ଜଗନ କହିଛନ୍ତି। ଗତ ନିର୍ବାଚନରେ ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ୧୫୦ ଆସନ ଜିତିଥିଲା। ଆଗାମୀ ନିର୍ବାଚନରେ ୧୫୧ ଆସନ ଜିତିବା ଲାଗି ଦଳ ଲକ୍ଷ୍ୟଧାର୍ଯ୍ୟ କରିଛି। ସେଥିପାଇଁ ବିଧାୟକମାନଙ୍କୁ ଘରକୁ ଘର ଯାଇ ପ୍ରଚାର କରିବା ଏବଂ ମେ’ରୁ ୯ ମାସ ପାଇଁ ଗଣଯୋଗାଯୋଗ କାର୍ଯ୍ୟକ୍ରମ ଲାଗି କୁହାଯାଇଛି। ଏଥିରେ ନେତାମାନେ ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ। ଅଭିଯାନର ସଫଳତା ଉପରେ ବିଧାୟକମାନଙ୍କର ଗ୍ରେଡେଶନ କରାଯିବ। ବିଧାୟକମାନଙ୍କୁ ମାସକୁ ଅନ୍ତତଃ ୧୦ଟି ଗ୍ରାମ କିମ୍ବା ଓ୍ବାର୍ଡ କାର୍ଯ୍ୟାଳୟକୁ ଯାଇ ଦୁଇଦିନ ଲେଖାଏଁ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ।

Share