ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କବ୍‌ଜା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ପୋଲିସ ବାରଣ ସତ୍ତ୍ୱେ ଶୁଣି ନ ଥିଲେ ଜଗଦ୍ଦେବ। ଭିଡ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପ୍ରଶାନ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି। ସେ ଯେତେ ଶୀଘ୍ର ସୁସ୍ଥ ହେବେ,ତାଙ୍କୁ ଗିରଫ କରାଯିବ। ଲୋକଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ଅମାନବୀୟ କାଣ୍ଡରେ ୧୦ଜଣ ପୋଲିସ, ୨ଜଣ ଖବରଦାତା ଆହତ ହୋଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ତଦନ୍ତ ଏବଂ ପୋଲିସ ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାରେ ୧୩୧/୨୨ରେ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ, ପୋଲିସକୁ ଡ୍ୟୁଟିରେ ବାଧା ସୃଷ୍ଟି, ଜନତାଙ୍କୁ ଗୁୁରୁତର ଆଘାତ, କାରକୁ ଅସ୍ତ୍ର ଭାବେ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ଦଫା ଲାଗିଛି। ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଛି। ୭ଟି ମାମଲାରେ ଚାର୍ଜଶିଟ ଦିଆଯାଇଛି। ୪ଟି କେସ୍‌ରେ କୋର୍ଟ ଟ୍ରାଏଲରେ ରହିଛି। ଏହି ଘଟଣାରେ ବିଧାୟକ ଏକ ବିପଦପୂର୍ଣ୍ଣ କାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଥିଲେ। ପୋଲିସ ପାଖରେ ବଳିଷ୍ଠ ପ୍ରମାଣ ରହିଛି। ଅନେକ ବ୍ୟକ୍ତି ଏହି ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଏଭିଡେନ୍ସ ରହିଛି। ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ବାଣପୁରରେ ପରିସ୍ଥିତି ଶାନ୍ତ ରହିଛି। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୧୪୪ ଧାରା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।