୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି ଜ୍ୟୋତିଷୀମାନେ ମତ ଦିଅନ୍ତି। ୨୨ ଅଗଷ୍ଟ ୨୦୨୬ରୁ ଏଭଳି ଏକ ଯୋଗ ଗଠନ ହେବାକୁ ଯାଉଛି, ଯାହାକୁ ଜ୍ୟୋତିଷରେ ‘ଜଡତ୍ୱ ଯୋଗ’ ବୋଲି କୁହାଯାଏ।

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୨୨ ଅଗଷ୍ଟ ସନ୍ଧ୍ୟା ୭ଟା ୩୩ ମିନିଟରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା କେତୁଙ୍କ ସହ ବୁଧଙ୍କ ଯୁତି ହେବ। ଜ୍ୟୋତିଷ ମତରେ, ଏହି ଯୁତି ଫଳରେ ଜଡତ୍ୱ ଯୋଗ ଗଠନ ହେବ। ଏହାକୁ କେତେକ ସ୍ଥାନରେ ‘ମତିଭ୍ରମ ଯୋଗ’ ମଧ୍ୟ କୁହାଯାଏ।

ବୁଧଙ୍କୁ ବୁଦ୍ଧି, ତର୍କ, ଯୋଗାଯୋଗ ଓ ବାଣୀର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଅନ୍ୟପଟେ କେତୁ ଆଧ୍ୟାତ୍ମିକତା, ରହସ୍ୟ, ଉନ୍ନତ ଅଧ୍ୟୟନ, ପ୍ରଯୁକ୍ତି ସହିତ ଭ୍ରମ ଓ ବିଚ୍ଛିନ୍ନତାର ସୂଚକ ବୋଲି ଜ୍ୟୋତିଷରେ ମନେ କରାଯାଏ। ତେଣୁ ଉଭୟ ଗ୍ରହର ଯୁତି ଚିନ୍ତାଧାରା, ନିଷ୍ପତ୍ତି ଓ ଯୋଗାଯୋଗ ଉପରେ ପ୍ରଭାବ ପକାଇପାରେ ବୋଲି ଜ୍ୟୋତିଷୀମାନେ କହିଛନ୍ତି।

ବୃଷଭ ରାଶିର ଲୋକଙ୍କ ପାଇଁ ଜଡତ୍ୱ ଯୋଗ ଘର ଓ ମାନସିକ ଶାନ୍ତି ସହ ଜଡିତ ମାମଲାରେ ଦ୍ୱନ୍ଦ୍ୱ ବଢାଇପାରେ। ଘର କିଣିବା, ବିକ୍ରି କରିବା କିମ୍ବା ଘର ବଦଳାଇବାର ଯୋଜନା ଥିଲେ ତରବରିଆ ନିଷ୍ପତ୍ତି ନନେବା ଭଲ। କର୍ମକ୍ଷେତ୍ରରେ ଛୋଟ କଥାକୁ ନେଇ ମାନସିକ ଚାପ ବଢିପାରେ। ବ୍ୟବସାୟରେ ପାର୍ଟନରସିପ ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ସତର୍କ ରହିବା ଆବଶ୍ୟକ। ଘରୋଇ ଖର୍ଚ୍ଚ ହଠାତ୍‌ ବଢିପାରେ। ପ୍ରେମ ସମ୍ପର୍କରେ ଆପଣଙ୍କ ନୀରବତାକୁ ଅନ୍ୟଜଣେ ଭୁଲ ବୁଝିପାରନ୍ତି। ପରିବାରର ପୁରୁଣା କୌଣସି ବିଷୟକୁ ନେଇ ବିବାଦ ନକରିବା ଭଲ। ଧ୍ୟାନ ଓ ପର୍ଯ୍ୟାପ୍ତ ନିଦ୍ରା ମାନସିକ ଚାପ କମାଇବାରେ ସହାୟକ ହୋଇପାରେ।

କର୍କଟ ରାଶି ପାଇଁ ଏହି ଯୋଗ ଧନ ଓ ବାଣୀ ସମ୍ପର୍କିତ ମାମଲାରେ ସତର୍କତା ଆବଶ୍ୟକ କରିପାରେ। ଭାବିନଚିନ୍ତି କୌଣସି ମନ୍ତବ୍ୟ କଲେ ସମ୍ପର୍କରେ ଦୂରତା ବଢିପାରେ। ଚାକିରିରେ ଇ-ମେଲ, ଡକ୍ୟୁମେଣ୍ଟ କିମ୍ବା ପେମେଣ୍ଟ ସମ୍ପର୍କିତ ଛୋଟ ଭୁଲ ଅସୁବିଧା ସୃଷ୍ଟି କରିପାରେ। ବ୍ୟବସାୟରେ ଆର୍ଥିକ କାରବାର କରିବା ସମୟରେ ଲିଖିତ ରେକର୍ଡ ରଖିବା ଭଲ। ଅପ୍ରତ୍ୟାଶିତ ଖର୍ଚ୍ଚ ବଜେଟ ବିଗାଡିପାରେ। ପ୍ରେମ ସମ୍ପର୍କରେ ସନ୍ଦେହକୁ ପ୍ରଶ୍ରୟ ନଦେବା ଉଚିତ। ଛାତ୍ରୀଛାତ୍ରମାନେ ପଢା ସମୟରେ ମୋବାଇଲ ଓ ଅନ୍ୟାନ୍ୟ ବିଭ୍ରାଟରୁ ଦୂରେଇ ରହିବା ଭଲ।

ସିଂହ ରାଶି ପାଇଁ ବୁଧ ଓ କେତୁଙ୍କ ଯୁତି ବ୍ୟକ୍ତିଗତ ଜୀବନରେ ଅଧିକ ପ୍ରଭାବ ପକାଇପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ନିଷ୍ପତ୍ତି ନେବା ସମୟରେ ଦ୍ୱନ୍ଦ୍ୱ ଦେଖାଦେଲେ ତୁରନ୍ତ ବଡ଼ ପଦକ୍ଷେପ ନନେବା ଭଲ। କର୍ମକ୍ଷେତ୍ରରେ ନିଜ ମତ ପ୍ରକାଶ କରିବାବେଳେ ଶବ୍ଦ ଚୟନ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଚାକିରି ବଦଳାଇବା କିମ୍ବା ନୂଆ ଚୁକ୍ତି ସ୍ବାକ୍ଷର କରିବା ପୂର୍ବରୁ ସମସ୍ତ ସର୍ତ୍ତ ଭଲଭାବେ ପଢିନିଅନ୍ତୁ। ବ୍ୟବସାୟରେ ଅତ୍ୟଧିକ ଆତ୍ମବିଶ୍ୱାସ କ୍ଷତି କରାଇପାରେ। ପ୍ରେମ ସମ୍ପର୍କରେ ଅହଂକାରଜନିତ ବିବାଦରୁ ଦୂରେଇ ରହିବା ଭଲ। ଚାପ, ନିଦ୍ରା ଅଭାବ କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଣଦେଖା ନକରିବା ଉଚିତ।

କୁମ୍ଭ ରାଶିର ଲୋକଙ୍କ ପାଇଁ ଜଡତ୍ୱ ଯୋଗ ସମ୍ପର୍କ ଓ ପାର୍ଟନରସିପ ସମ୍ପର୍କିତ ମାମଲାରେ ପରୀକ୍ଷା ଆଣିପାରେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ। ବ୍ୟବସାୟିକ ସହଯୋଗୀଙ୍କ ସହ ଟଙ୍କା କିମ୍ବା ନିଷ୍ପତ୍ତିକୁ ନେଇ ମତଭେଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅନ୍ୟ କାହାର କଥାକୁ ଆଖିବୁଜି ବିଶ୍ୱାସ ନକରିବା ଭଲ। ନିବେଶ ପୂର୍ବରୁ ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ। ପ୍ରେମ ସମ୍ପର୍କରେ କମ୍ୟୁନିକେସନ ଗ୍ୟାପ ନହେବାକୁ ଧ୍ୟାନ ଦିଅନ୍ତୁ। ପରିବାରର କୌଣସି ନିକଟ ସଦସ୍ୟଙ୍କ ପରାମର୍ଶ ଏହି ସମୟରେ ଉପକାରୀ ହୋଇପାରେ। ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆରୁ ଦୂରେଇ ପାଠପଢାରେ ଧ୍ୟାନ ଦେବା ଭଲ।

Odisha’s No.1 Odia Daily

Share
Tags: rashiphala