ଜାକ୍‌ଲିନ୍‌ଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍‌ ୧୨ ମଧ୍ୟରେ ବିଦେଶ ଯାଇପାରିବେ। ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ଲାଗି ମେ’ ୨୫ରୁ ୨୭ ଆବୁଧାବୀ ଯିବା ନିମନ୍ତେ ଜାକ୍‌ଲିନ୍‌ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ଏଥିପାଇଁ ତାଙ୍କୁ ଅନୁମତି ଦେଇଛନ୍ତି। ଏଥିସହିତ ଏକ ଚଳଚ୍ଚିତ୍ର ଶୁଟିଂ ନିମନ୍ତେ ମେ’ ୨୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଇଟାଲୀର ମିଲନ ଗସ୍ତ ଲାଗି ତାଙ୍କୁ ଅନୁମତି ମିଳିଛି। ଗତବର୍ଷ ନଭେମ୍ବର ୧୫ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରେଲିଗେୟାର ଏଣ୍ଟରପ୍ରାଇସେସ୍‌ର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ଚନ୍ଦ୍ରଶେଖର ବହୁକୋଟି ଟଙ୍କା ଠକିନେବା ଘଟଣାରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ ପକ୍ଷରୁ ଦାଏର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ଜାକ୍‌ଲିନ୍‌ ଉକ୍ତ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

Share