ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…

ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଷ୍ଟାର୍‌ ବ୍ୟାଟର୍‌ ଜାକବ୍‌ ବେଥେଲ୍‌ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିଛନ୍ତି । ସେ ଦିନିକିଆ ସହ ଟି-୨୦ ସିରିଜ୍‌ରେ ମଧ୍ୟ ଖେଳିପାରିବେ ନାହିଁ । ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ରେ ତାଙ୍କ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି।

୨୩ ବର୍ଷୀୟ ବେଥେଲ୍‌ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା ଆଶା ନେଇ ଦଳ ସହ ଯାଇଥିଲେ । କିନ୍ତୁ ଟ୍ରେନିଂ ସମୟରେ ହୋଇଥିବା ସ୍କାନ୍‌ରୁ ତାଙ୍କ ଆହତ ସମସ୍ୟାରେ ନୂଆ ଜଟିଳତା ସାମ୍ନାକୁ ଆସିଛି। ଏବେ ସେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ନିଜ ଦେଶକୁ ଫେରିବେ।

ଗତ ଜୁଲାଇ ପରଠାରୁ ବେଥେଲ୍‌ ଇଂଲଣ୍ଡ ପକ୍ଷରୁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଲର୍ଡସ୍‌ରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍‌ ସମୟରେ ସେ ଆହତ ହୋଇଥିଲେ। ସେହି ମ୍ୟାଚ୍‌ରେ ସେ ୯୧ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହାପରେ ସେପ୍ଟେମ୍ବରରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଫଳରେ ଦୀର୍ଘ ମାସ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲା ଏବଂ ତାଙ୍କୁ ଦଳରେ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସେ ଖେଳିପାରି ନଥିଲେ। ଏହି ସପ୍ତାହ ଆରମ୍ଭରେ ଟ୍ରେନିଂ ସମୟରେ ପୁଣି ଥରେ ଆହତ ହୋଇଥିଲେ। ଶୁକ୍ରବାର (ନଭେମ୍ବର ୧୩)ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ।

ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ସୋସିଆଲ୍‌ ମିଡିଆ ଜରିଆରେ ବେଥେଲ୍‌ଙ୍କ ଦଳରୁ ବାଦ୍‌ ପଡ଼ିବା ଖବର ସ୍ପଷ୍ଟ କରିଛି। ତାଙ୍କ ଡାହାଣ ଆଣ୍ଠୁର ସ୍କାନ୍‌ ପରେ ଅଷ୍ଟ୍ରେଲିଆ ଗସ୍ତର ହ୍ୱାଇଟ୍‌ ବଲ୍‌ ସିରିଜ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ସ୍ପଷ୍ଟ କରାଯାଇଛି ।

 

Dharitri – Odisha’s No.1 Odia Daily

Share