ପଣସ ବିରିୟାନୀ

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାର କଟା ହୋଇଥିବା କଞ୍ଚା ପଣସ ୨୦୦ ଗ୍ରାମ୍‌, ୨ଟି ପିଆଜ, ୨ କପ୍‌ ଚାଉଳ, ଅଦା ରସୁଣ ପେଷ୍ଟ ୧ ବଡ ଚାମଚ, ଧନିଆ ପାଉଡର ୧ ବଡ ଚାମଚ, କେଶର ୧ ଛୋଟ ଚାମଚ, ୩-୪ଟି ଲବଙ୍ଗ, ୨ଟି ଗୁଜୁରାତି, ୨ଟି ତେଜପତ୍ର, ଚିମୁଟାଏ ଜାୟିତ୍ରୀ, ଚକ୍ରଫୁଲ ୧ଟି, ଜିରା ୧ ଛୋଟ ଚାମଚ, ଲାଲ ଲଙ୍କା ଗୁଣ୍ଡ ୧ ଛୋଟ ଚାମଚ, ଦହି ୨ ବଡ଼ ଚାମଚ, ୧/୪ କପ୍‌ କ୍ଷୀର, ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ପଣସକୁ ଭଲ ଭାବେ ଧୋଇ ଅଳ୍ପ ତେଲରେ ଫ୍ରାଏ କରିଦିଅନ୍ତୁ। ଏକ ଗିନାରେ କ୍ଷୀରରେ କେଶରକୁ ଭିଜାଇ ତାହା ହଳଦିଆ ହେବାଯାଏଁ ଛାଡି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଚାଉଳ ନେଇ ଭାତ କରନ୍ତୁ। ଭାତକୁ ଅଧା ଅଧା କରନ୍ତୁ। ପ୍ରଥମ ଅଧାକୁ ହଳଦିଆ କରିବା ଲାଗି ସେଥିରେ କେଶର ଯୁକ୍ତ କ୍ଷୀର ମିଶାଇ ଗୋଳାନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ସେଥିରେ ସମସ୍ତ ମସଲା ପକାଇ ଗୋଳାନ୍ତୁ, ସେଥିରେ କଟା ପିଆଜ ପକାନ୍ତୁ। ଅଳ୍ପ ବ୍ରାଉନ୍‌ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ ପକାଇ ଗୋଳନ୍ତୁ। ସେଥିରେ ସ୍ବାଦାନୁସାରେ ଲୁଣ ଏବଂ ଅଳ୍ପ ଦହି ପକାଇ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହୋଇଗଲେ ସେଥିରେ ପଣସ ଫ୍ରାଏ ପକାଇ ଭଲ ଭାବେ ଗୋଳାଇ କିଛି ସମୟ ଛାଡି ଦିଅନ୍ତୁ। ଏହା ଭଲ ଭାବେ ସିଝି ଗଲେ ଚୁଲା ବନ୍ଦ କରିଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ପୂର୍ବରୁ ସିଝେଇ ରଖିଥିବା ଭାତ ଅଳ୍ପ ନିଅନ୍ତୁ। ଏହା ଉପରେ ପ୍ରସ୍ତୁତ ପଣସ ମସଲା ଏକ ଲେୟାର ପକାନ୍ତୁ। ପୁନର୍ବାର ଏକ ଲେୟାର ଭାତ ଏବଂ ପଣସ ମସଲା ପକାନ୍ତୁ। ଉପରେ କାଜୁ, ବାଦାମ, ଇତ୍ୟାଦି ପକାନ୍ତୁ। ଅଳ୍ପ ଆଞ୍ଚରେ କିଛି ସମୟ ଚୁଲାରେ ବସାଇ ଚୁଲା ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଣସ ବିରିୟାନୀ। ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।