Categories: ଖେଳ

ନେଦରଲାଣ୍ଡ୍ସ ଆଗରେ ୪୧୧ ରନ୍‌ର ବିଶାଳ ଲକ୍ଷ୍ୟ

ବେଙ୍ଗାଲୁରୁ,୧୨।୧୧: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ତଥା ୪୫ତମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟାସ ଆୟାର ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଶତକୀୟ ଇନିଂସ ଏବଂ ଅଧିନାୟକ ରୋହିତ ଶର୍ମା, ଶୁବମନ୍‌ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଲ୍‌ରେ ଭାରତ ନିର୍ଦ୍ଧାରିତ ୫୦ଓଭରରେ ୪ ଉଇକେଟ୍‌ ହରାଇ ୪୧୦ ରନ୍‌ କରିଛି। ଫଳରେ ନେଦରଲାଣ୍ଡ ଆଗରେ ୪୧୧ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଟିମ୍‌ ଇଣ୍ଡିଆ।

ଅନ୍ୟପକ୍ଷେ ବିଶ୍ବକପ୍‌ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ଦଳୀୟ ସ୍କୋର କରିବାର ରେକର୍ଡ ହାସଲ କରିଛି। ପୂର୍ବରୁ ବରମୁଣ୍ଡା ବିରୋଧରେ ୨୦୨୭ ବିଶ୍ବକପ୍‌ରେ ଭାରତ ୪୧୩ ରନ୍‌ କରିଥିଲା। ଭାରତୀୟ ବ୍ୟାଟର ଆଜି ଚମତ୍କାର ବ୍ୟାଟିଂ କରିଥିଲେ। ରୋହିତ ଏବଂ ଶୁବମନ୍‌ ପ୍ରଥମ ଉଇକେଟରେ ଶତକୀୟ ଭାଗିଦାରୀ କରିଥିଲେ। ରୋହିତ ୫୪ଟି ବଲ୍‌ରେ ୮ ଚଉକା ସହ ଓ ୨ ଛକା ସହାୟତାରେ ୬୧ ରନ୍‌ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୧ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

ଭାରତୀୟ ବ୍ୟାଟର ବିରାଟ କୋହଲି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚଉକା ଏବଂ ଗୋଟିଏ ଛକାରେ ୫୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟପକ୍ଷେ ଆୟାର ୯୪ ବଲ୍‌ରେ ୧୦ ଚଉକା ଏବଂ ୫ ଛକାରେ ୧୨୮ ରନ୍‌ ମହତ୍ତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ରାହୁଲ ୬୪ ବଲ୍‌ରେ ୧୧ ଚଉକା ଏବଂ ୪ ଛକାରେ ୧୦୨ ରନ୍‌ର ଦମ୍‌ଦାର ଇନିଂସ ବଲ୍‌ରେ ଭାରତ ୪୧୧ କରିବାରେ ସକ୍ଷମ ହୋଇଥିଲା।

Share