‘ଦୁର୍ଘଟଣା ନୁହେଁ, କରାଯାଇଛି ହତ୍ୟା’

କୋକସରା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗଡିଆଯୋର ବିଜୁ ଏକ୍ସପ୍ରେସ ୱେ ନିକଟରେ ଗତ ୪ତାରିଖରେ ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହା ଦୁର୍ଘଟଣା ନୁହେଁ, ଆକ୍ରମଣ କରି ହତ୍ୟା କରାଯାଇଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ପରିବାର ଲୋକେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କୋକସରା ବ୍ଲକ ଅଧିୀନ ଖୁଣ୍ଟିଆଠାରେ ରାସ୍ତାରୋକୋ କରିଥିଲେ। ଖବର ପାଇ ତହସିଲଦାର ରାକେଶ ପରୁଆ, କୋକସରା ଥାନା ଅଧୀକାରୀ ପ୍ରସନ୍ନ ବେହେରାଙ୍କ ସମେତ ଧର୍ମଗଡ଼ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏଥିସହ ଉପଜିଲାପାଳଙ୍କ ଅନୁମତିକ୍ରମେ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର ଓ ସମସ୍ତ ସରକାରୀ ସୁବିଧା ସହ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ସୂଚନାଯୋଗ୍ୟ, କୋକସରା ଥାନା ବାରବଖରାର ବୁଡୁ ଧରୁଆ(୪୨), ପ୍ରିିତମ ଧରୁଆ(୪୮) ଏବଂ ଗଜପତି ମେହେର (୨୨) ଗତ ୪ ତାରିଖରେ ଧର୍ମଗଡରୁ ଏକ ବାଇକରେ ଆସୁଥିବା ବେଳେ ଗଡିଆଯୋରଠାରେ ଜଣେ ସାଇକେଲ ଆରୋହୀଙ୍କ ସହ ଧକ୍କା ହୋଇଥିଲା। ସାଇକେଲ ଆରୋହୀଙ୍କ ସମ୍ପର୍କୀୟମାନେ ଆସି ଏହି ୩ଜଣ ଆରୋହୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ଗୁରୁତରମାନଙ୍କୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ୨ ଦିନ ତଳେ ବୁଡୁଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଗଜପତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୁଡୁ ଧରୁଆ ଓ ଗଜପତି ମେହେରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ରାସ୍ତାରୋକୋ କରିଥିଲେ।