ଚାରି ମାସ ହେଲା ଶଯ୍ୟାଶାୟୀ କାଳିଆ

ଲାଠୋର, ୭ା୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଘାସିଦାସ ପଡ଼ାର କାଳିଆ ସୁନା (୬୦)। ତାଙ୍କ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇପଡିଛି। ଧାରକରଜ କରି ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେଉନାହିଁ। ଉଚ୍ଚଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଏହା ସେ ଯୋଗାଡ କରି ପାରୁନାହାନ୍ତି। ଏଥିଯୋଗୁ ଗତ ଚାରି ମାସ ହେଲା ସେ ଭାଗ୍ୟକୁ ଆଦରି ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ବାଡି ଧରି ବଡକଷ୍ଟରେ ଶୌଚ ଆଦି କାମ କରୁଛନ୍ତି।
ଚାରି ମାସ ପୂର୍ବେ କାଳିଆ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ବାଟରେ ଗୋଡ ଖସି ପଡିଯିବା ଯୋଗୁ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ବାମ ପାର୍ଶ୍ୱ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇଯାଇଥିବା ଜଣାପଡିଲା। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗଗ୍ରସ୍ତ ହେବା ପରେ ଘୋର ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଇଛି ତାଙ୍କ ପରିବାର। କାଳିଆଙ୍କ ସମ୍ପତ୍ତି କିଛି ନାହିଁ। ପଞ୍ଚାୟତରୁ ମାସକୁ ମିଳୁଥିବା ୨୦କେଜି ଚାଉଳରେ ଚାରିପ୍ରାଣୀ କୁଟୁମ୍ବ ଚଳାଇବାକୁ ପଡ଼େ। ଏହି ସ୍ଥିତିରେ ଚିକିତ୍ସା ଖର୍ଚ୍ଚ ଉଠାଇବା ସମ୍ଭବ ହେଉ ନ ଥିବା କହିଛନ୍ତି ତାଙ୍କ ସ୍ତ୍ରୀ ରତନା। ତେବେ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ କାଳିଆଙ୍କ ପାଖରେ ରହିଛି। ତେବେ ସେହି କାର୍ଡ ଜରିଆରେ କିପରି ଚିକିତ୍ସା କରିହେବ ତାହା ଜାଣିପାରୁ ନ ଥିବା ସେ କହିଛନ୍ତି। ଅପରପକ୍ଷେ କାଳିଆଙ୍କ ବୟସ ୬୦ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ନାହିଁ। ଏହି ପରିସ୍ଥିତିରେ ରେଡକ୍ରସରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଉପକାର ମିଳି ପାରନ୍ତା ବୋଲି ପଡାବାସୀ କହିଛନ୍ତି ।