ଦେଢ଼ ମାସ ପୂରିଲାଣି, ସହାୟତା ମିଳୁନି

ରସୁଲପୁର,୧୨।୧୦ (ଡି.ଏନ୍‌.ଏ.): ସର୍ବସ୍ବ ଧୋଇ ନେଲା ବନ୍ୟା। ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟି ଖଣ୍ଡକ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସାଇତି ରଖିଥିବା ସବୁ ସ୍ମୃତି ବନ୍ୟା ପାଣିରେ ଭାସିଗଲା। ହେଲେ ଦେଢ଼ ମାସ ପରେ ବି ସରକାରୀ ସହାୟତା ମିଳିଲାନି। ସର୍ବସ୍ବ ହରାଇବା ପରେ ଦେଢ଼ ମାସ ହେଲା ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛୁ ବୋଲି କହିଛନ୍ତି ରସୁଲପୁର ବ୍ଲକ ବନ୍ଧଡିହ ପଞ୍ଚାୟତ କଣ୍ଡିଆ ସାହିର କାମିନୀ ମୋହନ ଜେନା ଓ ରଶ୍ମୀରଞ୍ଜନ ଜେନା। ସେମାନଙ୍କ ଘର ଥିବା ସ୍ଥାନ ଏବେ ବ୍ରାହ୍ମଣୀ ନଦୀର ଏକ ଅଂଶ ପାଲଟି ଯାଇଛି। ସର୍ବହରା ଏହି ଦୁଇ ପରିବାରକୁ ୨ଟି ଘର ନିର୍ମାଣ ପାଇଁ ସହାୟତା, ଲୁଗାପଟା, ବାସନକୁସନ ଆଦି କ୍ଷୟକ୍ଷତି ବାବଦକୁ ଅର୍ଥ ମିଳିବ ବୋଲି ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ କହିଛନ୍ତି। ହେଲେ ଏ ସହାୟତା ସମୁଦ୍ରକୁ ସଙ୍ଖେ ଭଳି। ତେଣୁ ସେହି ଦୁଇ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗୃହ ନିର୍ମାଣ ସହାୟତା, ଗୁହାଳ, ବାଡ଼ି ବଗିଚା ଓ ଘର ନିର୍ମାଣ ଲାଗି ଜାଗା ଯୋଗାଇ ଦେବାକୁ ବିପନ୍ନ ପରିବାର ପକ୍ଷରୁ ଦାବି ହୋଇଛି। ଏ ନେଇ ଦୁଇ ପରିବାର ସଦସ୍ୟ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଗତ ଅଗଷ୍ଟ ୨୮ ତାରିଖରେ ବ୍ରାହ୍ମଣୀର କଣ୍ଡିଆ ସାହି ନିକଟରେ ୨୦୦ଫୁଟ୍‌ ଚଉଡ଼ାର ଘାଇ ସୃଷ୍ଟି ହୋଇ କାମିନୀ ଓ ରଶ୍ମିରଞ୍ଜନଙ୍କ ପ୍ରାୟ ୨୦ଲକ୍ଷ ମୂଲ୍ୟର ୨ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା, ପିତ୍ତଳ ବାସନ, ବଗିଚାରେ ଥିବା ବହୁ ମୂଲ୍ୟବାନ ଗଛ, ଦୁଇଟି ଗୁହାଳ, ପାଇଖାନା ଆଦି ମାଟିରେ ମିଶିଗଲା। ମୂଲ୍ୟବାନ ସମାଗ୍ରୀ ବୋଝେଇ ପୁରୁଣା ସିନ୍ଦୁକ ଆହୁରି ଅନେକ ଘର କରଣା ସାମଗ୍ରୀ ଭାସିଗଲା। ସେଦିନଠାରୁ ୨ ପରିବାର ସେମାନଙ୍କ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସେମାନଙ୍କ ଘର ଡିହ ବ୍ରାହ୍ମଣୀ ନଦୀରେ ମିଶିଯାଇଥିବାରୁ ସେହି ସ୍ଥାନରେ ନୂଆ କରି ଘର ନିର୍ମାଣ କରିବା ସମ୍ଭବ ନୁହେଁ। ତେଣୁ ସେମାନେ ସେହି ଜମିକୁ ସରକାରଙ୍କୁ ଦେଇଦେବେ। ଏହା ବଦଳରେ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜମି ଯୋଗାଇ ଦେବାକୁ କାମିନୀ ଓ ରଶ୍ମିରଞ୍ଜନ ଜିଲାପାଳଙ୍କୁ ଭେଟି ଦାବି କରିଛନ୍ତି। ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଘର ପାଇଁ ଜାଗା ଯୋଗାଇଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାକୁ ଜିଲାପାଳ ବିପନ୍ନ ପରିବାରକୁ ପରାମର୍ଶ ଦେଇଛନ୍ତି।