ନୂଆଦିଲ୍ଲୀ,୩୧ା୭: ଭାରତୀୟ କ୍ରିକେଟ ଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଇଂଲଣ୍ଡ ବିପକ୍ଷେ ଚାଲିଥିବା ପଞ୍ଚମ ଟେଷ୍ଟର ପ୍ଲେଇଂ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ତାଙ୍କ ପିତା ରଙ୍ଗନାଥନ ଈଶ୍ୱରନ ଦଳ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ଡିସେମ୍ବରରେ ବାଂଲାଦେଶ ଗସ୍ତ ପାଇଁ ଅଭିମନ୍ୟୁଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ କରାଯାଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ପ୍ଲେଇଂ ଏକାଦଶରେ ସ୍ଥାନ ପାଇନାହାନ୍ତି।
ପଞ୍ଚମ ଟେଷ୍ଟରେ କରୁଣ ନାୟାରଙ୍କୁ ପୁଣି ସୁଯୋଗ ଦିଆଯିବା ପରେ ରଙ୍ଗନାଥନ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି, “ମୁଁ ଅଭିମନ୍ୟୁଙ୍କ ଟେଷ୍ଟ ଡେବ୍ୟୁ ପାଇଁ କେତେ ଦିନ ଅପେକ୍ଷା କରୁଛି ତାହା ହିସାବ କରୁନାହିଁ, ମୁଁ ବର୍ଷ ଗଣୁଛି। ଏବେ ତିନି ବର୍ଷ ହେଲାଣି। ଜଣେ ଖେଳାଳିର କାମ ହେଉଛି ରନ ସଂଗ୍ରହ କରିବା, ସେ ତାହା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଇଣ୍ଡିଆ ଏ ମ୍ୟାଚରେ ସେ ରନ କରିନଥିବା କଥା କୁହାଯାଇଥିଲା, କିନ୍ତୁ ଅଭିମନ୍ୟୁ ଯେତେବେଳେ ପ୍ରଦର୍ଶନ କରୁଥିଲେ, ସେତେବେଳେ କରୁଣ ନାୟାର ଦଳରେ ନଥିଲେ। କରୁଣଙ୍କୁ ଦୁଲୀପ ଟ୍ରଫି କିମ୍ବା ଇରାନୀ ଟ୍ରଫି ପାଇଁ ଚୟନ କରାଯାଇ ନଥିଲା। ଗତ ବର୍ଷଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଅଭିମନ୍ୟୁ ପ୍ରାୟ ୮୬୪ ରନ ସଂଗ୍ରହ କରିଛନ୍ତି।”
ସେ ଆହୁରି କହିଛନ୍ତି, ଆଇପିଏଲ ପ୍ରଦର୍ଶନ ଆଧାରରେ କିଛି ଖେଳାଳି ଟେଷ୍ଟ ଦଳରେ ସ୍ଥାନ ପାଉଛନ୍ତି, ଯାହା ଠିକ ନୁହେଁ। ସେ କହିଛନ୍ତି, “ଟେଷ୍ଟ ଦଳ ଚୟନ ପାଇଁ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫି ଆଧାର ହେବା ଉଚିତ, ଆଇପିଏଲ ନୁହେଁ।”
ଅଭିମନ୍ୟୁଙ୍କ ପିତା ସିଧାସଳଖ ନାମ ନନେଇଥିଲେ ମଧ୍ୟ, ସେ ସାଇ ସୁଦର୍ଶନଙ୍କୁ ଇଙ୍ଗିତ କରୁଥିଲେ, ଯିଏ ଚଳିତ ସିରିଜରେ ପ୍ରଥମ ଟେଷ୍ଟ ଡେବ୍ୟୁ କରିଛନ୍ତି। ୨୩ ବର୍ଷୀୟ ସୁଦର୍ଶନଙ୍କର ପ୍ରଥମ ଶ୍ରେଣୀ କ୍ରିକେଟରେ ହାରାହାରି ୩୮ ଏବଂ ୨୦୨୫ ଆଇପିଏଲରେ ସେ ଅରେଞ୍ଜ କ୍ୟାପ ଜିତିଥିଲେ।
ଅନ୍ୟପକ୍ଷରେ, ଅଭିମନ୍ୟୁ ଗତ ଘରୋଇ ସିଜନରେ ଦୁଲୀପ, ଇରାନୀ ଓ ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ସ୍କୋର ଥିଲା ୧୨୭*, ୧୯୧, ୧୧୬, ୧୯, ୧୫୭*, ୧୩, ୪, ୨୦୦*, ୭୨, ୬୫। ୧୦୩ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୪୮.୭୦ ହାରାହାରିରେ ୭୮୪୧ ରନ ସହ ୨୭ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଚଳିତ ସିରିଜ ପୂର୍ବରୁ ଦୁଇଟି ଟୁର ମ୍ୟାଚରେ ସେ ୬୮ ଓ ୮୦ ରନ ସଂଗ୍ରହ କରିଥିଲେ, କିନ୍ତୁ ଆଇପିଏଲ ବ୍ୟସ୍ତତା ଯୋଗୁଁ ଟୁର ମ୍ୟାଚ ନ ଖେଳିଥିବା ସୁଦର୍ଶନଙ୍କୁ ଆଗରେ ରଖି ତାଙ୍କୁ ସୁଯୋଗ ଦିଆଯାଇନଥିଲା। ୨୦୨୨ରେ ପ୍ରଥମ ଡାକରା ପରେ ୧୫ ଜଣ ଖେଳାଳି ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ବେଳେ, ୨୯ ବର୍ଷୀୟ ଅଭିମନ୍ୟୁଙ୍କ ଅପେକ୍ଷା ଜାରି ରହିଛି। ସେ ଏବେ ଅକ୍ଟୋବର ଓ ନଭେମ୍ବରରେ ଓ୍ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ପ୍ଲେଇଂ ଏକାଦଶରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।

