୨ ବର୍ଷ ହେଲା ଗାଁରୁ ବାସନ୍ଦ ଗୀତାଙ୍କ ପରିବାର

ପୁରୀ ଅଫିସ, ୬ା୮: ଦୁଇବର୍ଷ ତଳେ ଘରେ ପଶି ଚୋରି ନେଇ ଥାନାରେ ଅଭିଯୋଗ କ୍ରମେ ଗ୍ରାମର କେତେଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ଗ୍ରାମବାସୀ ଆକ୍ରୋଶ ରଖି ଅଭିଯୋଗକାରୀ ଗୀତା ସିଂଙ୍କ ପରିବାରକୁ ସେବେଠାରୁ ନିଆଁପାଣି ବାସନ୍ଦ କରିଛନ୍ତି। ଫଳରେ ଗୀତାଙ୍କ ପରିବାର ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ଏନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି। ଶେଷରେ ନିରୁପାୟ ହୋଇ ଗୀତା ନ୍ୟାୟ ପାଇଁ ଶୁକ୍ରବାର ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୦ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।
ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗ୍ରାମର ଗୀତା ସିଂଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ତାଙ୍କ ସ୍ବାମୀ ହୃଦ୍‌ରୋଗୀ। ୨୦୨୦ରେ ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କ ଘରୁ ନିର୍ମାଣ ସାମଗ୍ରୀ ଚୋରି କରି ନେଇଥିଲେ। ଏ ନେଇ ସେ ସଦର ଥାନାରେ ଏତଲା ଦେଇଥିଲେ। ପୋଲିସ କେତେଜଣ ଅଭିଯୁକ୍ତଙ୍କୁ ଧରି କୋହଳ ଦଫା ଲଗାଇଥିଲେ। ପରେ ଘଟଣାର ସମାଧାନ ହୋଇଥିଲା। ତେବେ କିଛି ଦିନ ପରେ ଅଭିଯୁକ୍ତମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଥିଲା। ଏହାକୁ କେନ୍ଦ୍ର କରି ଗ୍ରାମବାସୀ ତାଙ୍କ ପରିବାରକୁ ଏକଘରକିଆ କରିଦେଇଛନ୍ତି। କେହି କଥାବାର୍ତ୍ତା କରୁନାହାନ୍ତି। ଯିଏ କଥା ହେବ ତାକୁ ଲଣ୍ଡା କରାଯିବ ଓ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଏଭଳି ଭାବେ ଅଭିଯୁକ୍ତମାନେ ଯନ୍ତ୍ରଣା ଦେଉଛନ୍ତି। ଗତ ମାସରେ ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ଗୀତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏ ସଂକ୍ରାନ୍ତରେ ଗତ ମାସ ୨୬ତାରିଖରେ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ବାରମ୍ବାର ଥାନାକୁ ଯିବାରୁ ଘଟଣାର ସମାଧାନ ନିମନ୍ତେ ପୋଲିସ ଜଣେ ବ୍ୟକ୍ତିଙ୍କ ପାଖକୁ ପଠାଇଥିଲେ। ମାତ୍ର ସେ ଗାଳିଗୁଲଜ କରିବା ସହ ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ପୋଲିସକୁ ଜଣାଇ ନିରାଶ ହେବାକୁ ପଡିଛି। ତେଣୁ ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତାଙ୍କ ପରିବାର ଉପରୁ ବାସନ୍ଦ ହଟାଇ ନ୍ୟାୟ ଦେବାକୁ ଗୀତା ଦାବି କରିଛନ୍ତି। ନଚେତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।