ସବୁ ଦୋଷ ଚାଷୀର

ଶ୍ରାବଣ ମାସ ଶେଷ ହେବାକୁ ବସିଲା, ହେଲେ କମିଲା ନାହିଁ ପରିବା ଦର। ଆମ ରାଜ୍ୟରେ ଏବେ ଏମିତି କୌଣସି ପରିବା ନାହିଁ, ଯାହାର ମୂଲ୍ୟ ୫୦ ଟଙ୍କାରୁ କମ୍‌। ପରିବା ସାଙ୍ଗକୁ ଚାଉଳ, ଅଟା, ଡାଲି ଓ ତେଲ ଇତ୍ୟାଦି ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ। ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣରେ ନ ରହିଲେ ଦୁର୍ବଳ ହୋଇଯାଏ ପରିବାରର ଆର୍ଥିକ ସ୍ଥିତି। ପୁଷ୍ଟିହୀନତା ମାଡ଼ିଆସିବା ସହିତ ନିମ୍ନଗାମୀ ହୁଏ ଜୀବନ ଧାରଣର ମାନ। ହେଲେ ଏକଥାଟି ସରକାରଙ୍କ ମଗଜକୁ ପଶେ ନାହିଁ କାହିଁକି? ଯଦି ପଶେ, ତେବେ ଦରଦାମ ନିୟନ୍ତ୍ରଣ ଦିଗରେ ସରକାର ପ୍ରଭାବଶାଳୀ ପଦକ୍ଷେପ ନିଅନ୍ତି ନାହିଁ କାହିଁକ? ଆଶ୍ଚର୍ଯ୍ୟର ବିଷୟ ହେଉଛି ଦରଦାମ ଆକାଶଛୁଆଁ ହୋଇଗଲା ବୋଲି କହି ଦିନେ ବିଧାନସଭାରେ ତୁମ୍ବିତୋଫାନ କରୁଥିବା ଦଳ ବି ଓଲଟି ପଡ଼େ କ୍ଷମତାକୁ ଆସିବା ପରେ। ଆଶ୍ଚର୍ଯ୍ୟଜନକ ଭାବରେ ବଦଳିଯାଏ ନେତାଙ୍କ ସ୍ବର। କେବେ ମୁଖ୍ୟ ସୂଚୀ ଦେଖାଇ ପଡ଼ୋଶୀ ରାଜ୍ୟ ତୁଳନାରେ ଆମର ସ୍ଥିତି ଭଲ ଅଛି ବୋଲି କହନ୍ତି ତ ଆଉ କେବେ ଉତ୍ପାଦନ ହ୍ରାସ ପାଇଁ ଦୋଷ ଲଦନ୍ତି ପାଣିପାଗ ଉପରେ। ପରିସ୍ଥିତି ଅଣାୟତ୍ତ ହେଲେ କଳାବଜାରକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହନ୍ତି, ଯାହା କେବଳ ଧର୍ମକୁ ଆଖିଠାର।
ଚାହିଦା ଅନୁସାରେ କୃଷିଜାତ ପଦାର୍ଥ ଉତ୍ପାଦନ ନ ହେଲେ ଦର ବଢ଼ିବା ଏକ ସ୍ବାଭାବିକ କଥା। ମାତ୍ର ଉତ୍ପାଦନ ଯଦି ପ୍ରଚୁର, ଦର ଆକାଶଛୁଆଁ ହେବ କାହିଁକି ? ଦୃଷ୍ଟାନ୍ତ ସ୍ବରୂପ ଆମ ରାଜ୍ୟରେ ପ୍ରଚୁର ଟମାଟୋ ଉତ୍ପାଦନ ହୁଏ, ଯାହା ଶାଗମାଛ ଦରରେ ବିକ୍ରିହୁଏ ଅମଳ ବେଳେ। କିନ୍ତୁ ଏବେ ତା’ର ଦର ୭୦ତଳକୁ ଖସୁନାହିଁ କାହିଁକି? ପ୍ରତିବର୍ଷ ଅନୂ୍ୟନ ଦୁଇଥର ଗଣମାଧ୍ୟମର ଶିରୋନାମା ଜବରଦଖଲ କରେ ଟମାଟୋ। ଥରେ ଅମଳ ସମୟରେ, ଯେତେବେଳେ ଅଭାବୀ ବିକ୍ରିର ଚାପ ସହି ନ ପାରି ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ କରେ ଚାଷୀ। ଆଉ ଗୋଟିଏ ସମୟ ଆସେ, ଯେବେ ତା’ର ଅସ୍ବାଭାବିକ ମୂଲ୍ୟ ବୃଦ୍ଧି ଯୋଗୁ ଅତିଷ୍ଠ ହୋଇଯାଏ ଖାଉଟି। ଟମାଟୋ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନ ଥିବା ହିଁ ଏହାର କାରଣ। ପୂର୍ବରୁ ଯାହା ଶୀତଳ ଭଣ୍ଡାର ଥିଲା ତାହା ତ ମହଙ୍ଗା ବିଜୁଳି କାରଣରୁ ଅଚଳ। ଯେଉଁ କେତୋଟି କାର୍ଯ୍ୟକ୍ଷମ ଅଛି, ତାହା ଟମାଟୋକୁ ସୁହାଇଲା ଭଳି ନୁହେଁ; ମହୁଲ,ତେନ୍ତୁଳି, ଛତୁ ଓ ଫଳ ସଂରକ୍ଷଣ ପାଇଁ।
ପିଆଜ ଉତ୍ପାଦନରେ ଓଡ଼ଶା ଏକ ବଳକା ରାଜ୍ୟ। ତଥ୍ୟ କହେ ରାଜ୍ୟରେ ପିଆଜ ଚାହିଦା ବାର୍ଷିକ ସାଢ଼େ ତିନିଲକ୍ଷ ମେଟ୍ରିକ୍‌ ଟନ୍‌। ଉତ୍ପାଦନ ହୁଏ ପାଖାପାଖି ଚାରିଲକ୍ଷ ମେଟ୍ରିକ୍‌ ଟନ୍‌, ଯାହା ଆବଶ୍ୟକତାଠାରୁ ସାମାନ୍ୟ ବେଶି। ମାତ୍ର ସଂରକ୍ଷଣ ସୁବିଧା ନ ଥିବାରୁ ଅମଳ ସମୟରେ ଚାଷୀଙ୍କଠାରୁ ଶସ୍ତାରେ କିଣିନିଏ ବେପାରୀ। ଏହା ବାହାର ରାଜ୍ୟରେ ସଂରକ୍ଷିତ ହୋଇ ଓଡ଼ିଶା ଫେରିଲା ବେଳକୁ ପାଖାପାଖି ଦଶଗୁଣା ବଢ଼ିଯାଏ ଭାଉ। ତେଣୁ ଟମାଟୋ ପରି ପିଆଜ ବି ବାରମ୍ବାର ମଣ୍ଡନ କରେ ଗଣମାଧ୍ୟମର ଶିରୋନାମା।
କୁହାଯାଏ ପରିବା ଭିତରେ ଆଳୁ ହେଉଛି ରଜା। ଧାନ, ଗହମ, ମକା-ବାଜରା ପରେ ଆଳୁ ପୃଥିବୀର ଚତୁର୍ଥ ବୃହତ୍ତମ ଫସଲ। ଏକ ଏକର ଜମିରେ ଯେତିକି ଖାଦ୍ୟଶସ୍ୟ ଅମଳ ହୁଏ, ତା’ର ଚାରିଗୁଣ ଉତ୍ପାଦନ ହୋଇପାରେ ଆଳୁ। ତଥ୍ୟ ଅନୁଯାୟୀ ଓଡ଼ିଶାରେ ବାର୍ଷିକ ୧୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦନ ପରିମାଣ ୨ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବି ଊଣା। ଆଳୁର ଏଭଳି ନିଅଣ୍ଟିଆ ସ୍ଥିତିରୁ ମୁକୁଳିବା ପାଇଁ ସରକାର ୨୦୧୫-୧୬ରେ ଆରମ୍ଭ କଲେ ଆଳୁମିଶନ। ୧୫ହଜାର ହେକ୍ଟର ଜମିରେ ହେଉଥିବା ଆଳୁଚାଷକୁ ବଢ଼ାଇ ତିନି ବର୍ଷ ମଧ୍ୟରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହେଲା। ଚାଷୀଙ୍କୁ ଆକର୍ଷିତ କରିବାକୁ ସ୍ଥିର ହେଲା ପ୍ରୋତ୍ସାହନ ରାଶି। ଉଦ୍ୟାନ ଓ କୃଷି ମନ୍ତ୍ରଣାଳୟକୁ ଯୋଗାଇ ଦିଆଗଲା ୫୦ କୋଟି ଟଙ୍କା।
୧୧୨ଟି ନୂଆ ଶୀତଳଭଣ୍ଡାର ଖୋଲିବାର ପ୍ରାବଧାନ ହେଲା ଆଳୁ ସଂରକ୍ଷଣ ପାଇଁ। ମାତ୍ର ସବୁ ବ୍ୟବସ୍ଥା ସତ୍ତ୍ବେ ଚାଷୀ ସରକାରଙ୍କ ଉପରେ ଆସ୍ଥା ରଖିପାରିଲା ନାହିଁ କି ଆଗକୁ ବଢ଼ିପାରିଲା ନାହିଁ ଆଳୁ ମିଶନ। ସ୍ବାବଲମ୍ବୀ ହେବା ତ ଦୂରର କଥା ବର୍ଷକୁ ବର୍ଷ ହ୍ରାସ ପାଇଲା ଆଳୁ ଉତ୍ପାଦନ। ତେବେ କ’ଣ ପାଇଁ ଏ ବିଫଳତା?
ଓଡ଼ିଶାରେ କୃଷି ଓ କୃଷକର ସାମଗ୍ରିକ ଚିତ୍ର ପାଖକୁ ନ ଗଲେ ମିଳିବନି ଉପରୋକ୍ତ ପ୍ରଶ୍ନର ଉତ୍ତର। ସରକାରଙ୍କ କହିବା ଅନୁସାରେ ଚାଷୀ ଶ୍ରମର ମୂଳଦୁଆ ଉପରେ ଠିଆ ହୋଇଛି କୃଷିପ୍ରଧାନ ରାଜ୍ୟ ଓଡ଼ିଶାର ଅର୍ଥନୀତି। ଇତିହାସ କହେ ଓଡ଼ିଶାର ଚାଷୀ କେବଳ ପରିଶ୍ରମୀ ନୁହେଁ, ସାହସୀ ଓ ସ୍ବାଭିମାନୀ। ପାଣିପାଗର ଠିକ୍‌ ଆକଳନ ପୂର୍ବକ ଅଧିକ ଅମଳ କରିବାର ଜ୍ଞାନକୌଶଳ ତା’ର ଅନୁଭୂତିସିଦ୍ଧ। ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଧାନ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା କ’ଣ ତା’ର ଅପାରଗପଣିଆର ପରିଚୟ? ପରବର୍ତ୍ତୀ ପ୍ରଶ୍ନ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ। କୃଷି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ଆବଶ୍ୟକ ସମୟୋପଯୋଗୀ ଯୋଜନା। ବିଗତ ଦିନରେ ସରକାର କିଛି କମ୍‌ ଯୋଜନା କରିନାହାନ୍ତି କୃଷି ଓ କୃଷକର ସମୃଦ୍ଧି ପାଇଁ। ସବୁ ସତ୍ତ୍ବେ ଜମିକୁ ଆବଶ୍ୟକ ପରିମାଣର ଜଳ ଯୋଗାଇ ଦିଆଯାଇ ପାରି ନାହଁ କି ଠିକ୍‌ ସମୟରେ ଚାଷୀକୁ ମିଳିନାହିଁ ସାର ଓ ବିହନ। ଏଭଳି ଅବହେଳାର କାରଣ ଖୋଜିବସିଲେ ଜଳଜଳ ଦିଶେ ପ୍ରଶାସନର ଅସଲ ଚେହେରା। ଆମ ରାଜ୍ୟରେ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ହାତରେ ଯୋଜନାର କାର୍ଯ୍ୟାନ୍ବୟନ ଦାୟିତ୍ୱ ଥାଏ, ସେମାନେ ଅପ୍ରମିତ କ୍ଷମତାର ଅଧିକାରୀ। ଉତ୍ତରଦାୟିତା ବିହୀନ ଏହି ବାବୁମାନଙ୍କ କଲମ ମୁନରେ ନର୍ଦ୍ଧାରିତ ହୁଏ ରାଜ୍ୟବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ।
ଆଳୁ, ପିଆଜ ଓ ପନିପରିବା ଇତ୍ୟାଦିର ସଂରକ୍ଷଣ ଉପରେ ସରକାର ସତୁରି ଦଶକରେ ଗୁରୁତ୍ୱ ଦେଇଥିଲେ, ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇପାରିଥିଲା ୧୭୭ଟି ଶୀତଳ ଭଣ୍ଡାର। ସେତେବେଳେ ଚାଷୀଙ୍କ ପାଇଁ ଏହା ଥିଲା ଆଶାର ଆଲୋକ। ମାତ୍ର ଶୀତଳ ଭଣ୍ଡାର ପାଇଁ କାଳ ହୋଇଥିଲା ମହଙ୍ଗା ବିଜୁଳି। ରାଜନୈତିକ ହସ୍ତକ୍ଷେପ ଫଳରେ ବିଜୁଳି ଦେୟରୁ ହୁଏତ ରିହାତି ମିଳିପାରେ କିନ୍ତୁ ବିଜୁଳି ଯୋଗାଣର ଅନିୟମିତତାକୁ ହାତ କାହାର? ବିଜୁଳି ଯୋଗାଣର ଅନିୟମିତତା କାରଣରୁ କୃଷିଜ ନଷ୍ଟହେବା ସହିତ ଆର୍ଥିକ ରୂପେ ବିକଳାଙ୍ଗ ହୋଇଗଲା ଅନେକ ଶୀତଳ ଭଣ୍ଡାର। ସଂରକ୍ଷଣ ସୁବିଧା ଅଭାବରୁ ଜମି ପଡ଼ିଆ ପକେଇବାକୁ ବାଧ୍ୟହେଲେ ଅନେକ ଚାଷୀ। ୨୦୧୫ ଆଳୁ ମିଶନ ଆସିବା ପରେ ସରକାର ପୁଣି ଥରେ ଅନୁଭବ କଲେ ଶୀତଳ ଭଣ୍ଡାରର ଆବଶ୍ୟକତା। ପ୍ରଯୁକ୍ତି ବିଦ୍ୟାର ବିକାଶକୁ ଦୃଷ୍ଟିରେ ରଖି ଏ ଦିଗରେ ଉତ୍ସାହିତ ହୋଇପଡିଥିଲେ ଅନେକ ଯୁବ ଉଦ୍ୟୋଗୀ। ମାତ୍ର ବାବୁଙ୍କ ଅସହଯୋଗ କାରଣରୁ ପ୍ରାୟତଃ ସଫଳ ହୋଇପାରିଲେନି କେହି। ପରବର୍ତ୍ତୀ ପ୍ରଶ୍ନ ହେଉଛି କ୍ଷେତ୍ର କର୍ମଚାରୀଙ୍କ ଅବହେଳା। ଉପରିସ୍ଥ ହାକିମଙ୍କ ବିବେକ ଯେଉଁଠି ବଳିଗ୍ରସ୍ତ, ସେଠାରେ ତଳସ୍ତରର କର୍ମଚାରୀଙ୍କ ଅବହେଳା କଥା ପଚାରେ କିଏ?
ଗୋଟିଏ ସମୟରେ ଖାଦ୍ୟଶସ୍ୟ ଓ ଡାଲିଜାତୀୟ ଫସଲ ସାଙ୍ଗକୁ ଚାଷୀ ପ୍ରଚୁର ପନିପରିବା ଚାଷ କରୁଥିଲା । ଘରେ ପାଳିଥିଲା ଗାଈ। ଗାଡ଼ିଆ ପୋଖରୀରେ ଭର୍ତ୍ତି ହୋଇଥିଲେ ମାଛ। ଏହାକୁ କୁହାଯାଏ ସମନ୍ବିତ ଚାଷ। ଭାବିଲେ ସେତେବେଳେ କ’ଣ କେହି କିଣୁଥିଲା ସଜନା ଛୁଇଁ, ସଜନା ଶାଗ, ଅମୃତଭଣ୍ଡା, କଞ୍ଚା କଦଳୀ ଓ ମଞ୍ଜା ଇତ୍ୟାଦି। ବାଡ଼ି ବଗିଚା ନ ଥିବା ଲୋକ ବି ଏସବୁ ପାଇ ଯାଉଥିଲା ମାଗଣାରେ। ମାତ୍ର ଯେବେଠାରୁ ସେ ସମନ୍ବିତ ଚାଷଠାରୁ ଦୂରେଇ ଗଲା, ସେବେଠାରୁ ଆବଶ୍ୟକ ହେଲା ଶୀତଳ ଭଣ୍ଡାର। ଆଗେ ଚାଷୀ ଏଠାରେ ପ୍ରଚୁର ପରିମାଣର ଦେଶୀ ପିଆଜ ଅମଳ କରୁଥିଲା, ଯାହା ଶୀତଳ ଭଣ୍ଡାର ବିନା ରହିପାରୁଥିଲା ନୂଆ ପିଆଜ ଅମଳ ପର୍ଯ୍ୟନ୍ତ। ଚାଷୀକୁ ଜଣାଥିଲା ତା’ର ସଂରକ୍ଷଣ କୌଶଳ। ଏହି ପୁରୁଣା ପଦ୍ଧତିଠାରୁ ଦୂରେଇ ଯିବାର ପରିଣାମ ହେଲା ମହଙ୍ଗା ମାଡ଼। ତେବେ ଏହି ଦୋଷ କାହାର?
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri