ବ୍ରହ୍ମପୁର,୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସରକାରୀ ରେଳବାଇ ଥାନା(ଜିଆରପି) ଅନ୍ତର୍ଗତ ଆମ୍ବପୁଆ ରେଳଫାଟକ ନିକଟରେ ଗୁରୁବାର ଜଣେ ଆଇଟିଆଇ ଛାତ୍ରୀ ଟ୍ରେନ୍ ଆଗକୁ ଆସି ଜୀବନ ହାରିଛନ୍ତି। ସେ ହେଲେ ଧରାକୋଟ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ମାଛକୋଟ ଗ୍ରାମର ସୁନୀଲ ଗୌଡ଼ଙ୍କ ଝିଅ ଅର୍ଚ୍ଚିତା(୧୭)। ମୃତଦେହ ନିକଟରୁ ପୋଲିସ ଛାତ୍ରୀଙ୍କ ମାଟ୍ରିକ ସାର୍ଟିଫିକେଟ, ଯୁକ୍ତ୨ ସାର୍ଟିଫିକେଟ, ବ୍ୟାଙ୍କ ପାସ୍ବୁକ୍, ସ୍ବାସ୍ଥ୍ୟବୀମା ପତ୍ର ଆଦି ଜବତ କରିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅର୍ଚ୍ଚିତାଙ୍କ ମୋବାଇଲମିଳିଲେ ସେ ମୃତ୍ୟୁ ପୂର୍ବରୁ କାହା ସହିତ କ’ଣ କଥା ହୋଇଥିଲେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଅର୍ଚ୍ଚିତା ବ୍ରହ୍ମପୁର ଆଇଟିଆଇର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସେ ହଷ୍ଟେଲରେ ରହୁଥିଲେ। ୨ ଦିନ ପୂର୍ବେ ଛତ୍ରପୁର ନିକଟ ସୁନ୍ଦରପୁରରେ ରହୁଥିବା ତାଙ୍କ ସାଙ୍ଗ ଘରକୁ ଯାଇଥିଲେ। ତେବେ ସେଠାରୁ ସେ ହଷ୍ଟେଲ ଫେରିଥିଲେ କି ନାହିଁ, ରେଳଧାରଣାକୁ କିପରି ଆସିଥିଲେ ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ତାମିଲନାଡୁ ତିରୁଚିନାପଲିରୁ ପଶ୍ଚିମବଙ୍ଗ ଯାଉଥିବା ଅମୃତ ଭାରତ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏ ନେଇ କେସ୍ ନଂ. ୩୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।