ଭଡ଼ାଘରେ ଝୁଲିପଡ଼ିଲେ ଆଇଟିଆଇ ଛାତ୍ର

କଟକ,୨୦ା୨ (କାର୍ତ୍ତିକ ସାହୁ):କଟକ ଜିଲା ମଧୁପାଟଣା ଥାନା ଅଧୀନ ନୟାଚୌକ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ଛାତ୍ରଙ୍କ ମୃତଦେହକୁ ସୋମବାର ଅପରାହ୍ନରେ ପୋଲିସ ଜବତ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା କୋରୁଆ ଗ୍ରାମର ଅମରେନ୍ଦ୍ର ମୁଦୁଲିଙ୍କ ପୁତ୍ର ସନ୍ଦୀପ ମୁଦୁଲି(୧୮)। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି। ମୃତକଙ୍କ ଭାଇଙ୍କ ଏତଲାକ୍ରମେ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୭/୨୪) ରୁଜୁ ହୋଇଛି।
ସୂଚନା ଅନୁସାରେ, ସନ୍ଦୀପ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ପଢୁଥିବାବେଳେ ନୟାଚୌକ ଅଞ୍ଚଳର ଏକ ଭଡ଼ାଘରେ ରହୁଥିଲେ। ତାଙ୍କ ସହ ଜଣେ ସାଙ୍ଗ ମଧ୍ୟ ରହୁଥିଲେ। ସାଙ୍ଗ ଜଣଙ୍କ ସକାଳୁ ନିତ୍ୟକର୍ମ ସାରିବା ପରେ ବାହାରକୁ ଚାଲିଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଉକ୍ତ ଭଡ଼ାଘରକୁ ଫେରିବା ପରେ କବାଟ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ। ତୁରନ୍ତ କବାଟ ବାଡ଼େଇବା ସହ ସନ୍ଦୀପଙ୍କ ମୋବାଇଲକୁ ଫୋନ୍‌ କରିଥିଲେ। ହେଲେ ସନ୍ଦୀପ ଫୋନ୍‌ ଉଠାଇ ନ ଥିଲେ। ଏଥିରେ ସେ ବ୍ୟତିବ୍ୟସ୍ତ ହୋଇ ଝରକା ବାଟେ ଭିତରକୁ ଚାହିଁ ଦେଖିବାରୁ ସନ୍ଦୀପଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ସେ ଏନେଇ ସନ୍ଦୀପଙ୍କ ଘର ଲୋକଙ୍କୁ ଜଣାଇଥିଲେ। ମୃତକଙ୍କ ପରିବାର ଲୋକେ ଆସି ପହଞ୍ଚତ୍ବା ପରେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ଥାନାଧିକାରୀ ଚିତ୍ତରଞ୍ଜନ ରାଉତ କହିଛନ୍ତି।