ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ,୧୩ା୫ (ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜଣେ ଆଇଟିଆଇ ଛାତ୍ର ଫ୍ୟାନ୍‌ରେ ଗାମୁଛା ଦ୍ୱାରା ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦପଦା ଥାନା ଅନ୍ତର୍ଗତ ହାଟସାହିର ରୁଦ୍ର ମାଧବ ରଣା (୧୬)। ସେ ଏଠାରେ ଇଲେକ୍ଟ୍ରିକାଲ ଟ୍ରେଡ୍‌ର ପ୍ରଥମ ବର୍ଷର ଛାତ୍ର ଥିଲେ। ଗୁରୁବାର ରୁଦ୍ରଙ୍କ ଝୁଲନ୍ତା ମୃତଦେହକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ତେବେ ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଅଧ୍ୟାପକ ଭବାନୀ ସାର୍‌ଙ୍କ ମାଡ ଓ ଅସହ୍ୟ ନିର୍ଯାତନା ଯୋଗୁ ରୁଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା ବାପା ନିରଞ୍ଜନ ରଣା ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ. ୨୦୦/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ରୁଦ୍ରଙ୍କ ମୋବାଇଲ ଫୋନ୍‌ ଜବତ କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ରୁଦ୍ର ହଷ୍ଟେଲର ୪୦୪ ରୁମ୍‌ରେ ରହୁଥିଲେ। କିନ୍ତୁ ୪୦୫ ରୁମ୍‌ରେ ତାଙ୍କ ମାମୁ ପୁଅ ରହୁଥିବାରୁ ସେ ସବୁବେଳେ ସେଠାକୁ ଯାଆନ୍ତି। ଗୁରୁବାର କ୍ଲାସ୍‌ ସାରି ସା ସାଢ଼େ ୫ଟା ସମୟରେ ରୁଦ୍ର ହଷ୍ଟେଲକୁ ଯାଇଥିଲେ। ନିଜ ରୁମ୍‌ରେ କିଛି ସମୟ ରହିବା ପରେ ୪୦୫ ରୁମ୍‌କୁ ଯାଇଥିଲେ। ସେତେବେଳେ ତାଙ୍କ ଭାଇ ସେଠାରେ ନ ଥିବାବେଳେ ଅନ୍ୟ ୨ଜଣ ସହପାଠୀ ଥିଲେ। ରୁଦ୍ରକୁ ଘରେ ଛାଡ଼ି ସେମାନେ ଜଳଖିଆ ଖାଇବା ପାଇଁ ବାହାରକୁ ଯାଇ ସନ୍ଧ୍ୟା ସାଢେ ୬ଟା ବେଳକୁ ଫେରିଥିଲେ। ହେଲେ କବାଟ ବନ୍ଦ ଥିବାରୁ ବହୁତ ଡାକିବା ପରେ ରୁଦ୍ର ଶୁଣି ନ ଥିଲେ। ତେବେ ଝରକା ବାଟେ ଭିତରକୁ ଚାହିଁବାରୁ ରୁଦ୍ର ଫ୍ୟାନ୍‌ରେ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ଖବର ବ୍ୟାପିଯିବା ପରେ ସହପାଠୀ ଓ ହଷ୍ଟେଲ କର୍ମଚାରୀ କବାଟ ଭାଙ୍ଗି ରୁଦ୍ରଙ୍କ ମୃତଦେହକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଏଥିସହ ସେମାନେ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ରୁଦ୍ରଙ୍କୁ ନେଇଯାଇଥିଲେ। ପୋଲିସ ସେଠାରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ରୁଦ୍ରଙ୍କ ମା’ କହିଛନ୍ତି, କିଛିଦିନ ତଳେ ରୁଦ୍ର ଫୋନ୍‌ କରି ଭବାନୀ ସାର୍‌ ପିଟି ଥିବା କହିଥିଲେ। ଆଉଥରେ ପିଟିଲେ ସେ ଆତ୍ମହତ୍ୟା କରିଦେବ ବୋଲି ଜଣାଇଥିଲେ। ଏପରି କି ପୁଅଠାରୁ ଫୋନ୍‌ କଲ ପାଇବା ପରେ ଆମେ ହଷ୍ଟେଲ ୱାର୍ଡେନଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲୁ। ଏହାସହିତ ରୁଦ୍ରଙ୍କୁ ଘରକୁ ଛାଡି ଦେବାକୁ କହିଥିଲୁ। କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛାଡି ହେବନି ବୋଲି ସେ କହିଥିଲେ। ଅପରପକ୍ଷେ ଘଟଣାପରଠୁ କଲେଜରେ ସମ୍ପୃକ୍ତ ଅଧ୍ୟାପକଙ୍କ ଦେଖାନାହିଁ।