ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଧାର୍ଯ୍ୟ ନିୟମ ଅନୁଯାୟୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବାର ଥିଲେ ବି କୌଣସି ଉଚ୍ଚାଧିକାରୀ ଉପସ୍ଥିତ ନ ରହିବା ଏବଂ ପ୍ରକୃତ ଶ୍ରମିକଙ୍କ ବଦଳରେ କେବଳ ମେଟ୍, ଠିକାଦାର ଓ ଦଲାଲଙ୍କ ଉପସ୍ଥିତିକୁ ନେଇ କାର୍ଯ୍ୟକ୍ରମର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି।
ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ ଏହି ଶିବିରରେସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଜିପିଡିଓ ବାଲେଶ୍ବର ନାୟକ, ଜିଲା ସୋସିଆଲ ଅଡିଟ୍ ଅଫିସର ଶଶାଙ୍କ ଭୋଇଙ୍କ ସମେତ କିଛି ବିଭାଗର ଅଧିକାରୀ, କର୍ମଚାରୀ ଓ କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏପିଓ ଭକ୍ତ ସେଠୀ ପରିଚାଳନା କରିଥିଲେ।
ସାଧାରଣ ଲୋକଙ୍କ ନଗଣ୍ୟ ଉପସ୍ଥିତି ନେଇ ବିଡିଓଙ୍କୁ ପଚାରିବାରୁ, ସେ ପୂଜାପାର୍ବଣ ପାଇଁ ଲୋକେ ଆସି ନ ଥିବା କହିଥିଲେ। ମାତ୍ର ଆଇଟିଡିଏ ଅଧିକାରୀଙ୍କ ଅନୁପସ୍ଥିତି ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଆଇଟିଡିଏ ପିଏ ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଉଠାଇ ନ ଥିଲେ। ପ୍ରକୃତ ହିତାଧିକାରୀଙ୍କ ଅଭାବରୁ ଏହି ଜନଶୁଣାଣି ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ କରି, ବ୍ୟାପକ ସଚେତନତା ସହ ପୁନର୍ବାର ସ୍ୱଚ୍ଛ ଭାବେ ଜନଶୁଣାଣି କରିବାକୁ ସାଧାରଣରେ ଦାବି ହୋଇଛି।