Categories: ଜାତୀୟ

ଲଦାଖରେ ପ୍ରଥମଥର ଲାଗି ନିୟୋଜିତ ହେଲେ ମହିଳା ଡାକ୍ତର

ନୂଆଦିଲ୍ଲୀ,୮।୯; ଲାଇନ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି)ରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(Indo-Tibet Border Police) ପ୍ରଥମଥର ଲାଗି ମହିଳା ଡାକ୍ତରଙ୍କୁ ଲଦାଖର ଫରଓ୍ବାର୍ଡ ପୋଷ୍ଟରେ ନିୟୋଜିତ କରିଛି। ଲେହରୁ ସେନା ପଠାଇବାଠାରୁ ଆରମ୍ଭ କରି ଆଗକୁ ଏମାନଙ୍କର ଦେଖାରଖା ପାଇଁ ଆଇଟିବିପିର ମହିଳା ଡାକ୍ତରଙ୍କୁ ସବୁ ପ୍ରକାରର ଦାୟିତ୍ୱ ଦିଆଯାଇଛି। ସୀମାରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ଆଇଟିବିପି ତା’ର ସାଧାରଣ ସଞ୍ଚାଳନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ପ୍ରଥମେ ଏଭଳି ସ୍ଥାନରେ କୌଣସି ମହିଳାଙ୍କୁ ଅବସ୍ଥାପିତ କରିବାକୁ ଅନୁମତି ନ ଥିଲା। ତେବେ ଆଇଟିବିପି ଲିଙ୍ଗଗତ ତାରତମ୍ୟକୁ ପଛକୁ ପକାଇ କିଛି ସପ୍ତାହ ପୂର୍ବରୁ ମହିଳା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଲଦାଖ ପଠାଇଛି। ପାରା ମେଡିକାଲ କର୍ମଚାରୀଙ୍କ ସହ ମିଶି ଏମାନେ ଯବାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ଏହାସହ ଫାର୍ମାସିଷ୍ଟ ଓ ନର୍ସିଂ ସହାୟକଙ୍କୁ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ବହୁ ପରିମାଣରେ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ଲେହରେ ସାରା ଦେଶରୁ ବହୁ ପରିମାଣର ସେନା ପହଞ୍ଚିଥାଆନ୍ତି। ସେମାନଙ୍କ ମେଡିକାଲ ଯାଞ୍ଚ ସହ ଫିଟନେସ୍‌ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ। ଏଠାରେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଦାୟିତ୍ୱ ହେଉଛି କେବଳ ଫିଟ୍‌ ଯବାନଙ୍କୁ ପରଓକ୍ୱାର୍ଡ ପୋଷ୍ଟକୁ ପଠାଇବା।

Share