ରାଜ୍ୟରେ ୮ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୭।୬(ବ୍ୟୁରୋ): ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। କୋରାପୁଟର ଲମତାପୁଟ, ସିମିଳିଗୁଡ଼ା, ପଟାଙ୍ଗୀ, ମୟୂରଭଞ୍ଜର ଚନ୍ଦନପୁର ଓ ବାଲେଶ୍ୱରର ରାଜଘାଟରେ ସ୍ବଳ୍ପ ଧରଣର ବର୍ଷା ରେକର୍ଡ କରାଯାଇଛି। ୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ ଓ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ନେଇ ଏହି ୪ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୯ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ ବର୍ଷାର ପରିମାଣ ବଢ଼ିପାରେ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଉତ୍ତର ଉପକୂଳ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କିନ୍ତୁ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ୫ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ସେହିଦିନ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ତେବେ ୧୦ତାରିଖରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ପୁରୀ, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ କେନ୍ଦ୍ର ଏସବୁ ଜିଲାକୁ ସତର୍କ ସୂଚନା ଜାରି କରିବା ସହିତ ୟେଲୋ ଓ୍ବାର୍ନିଂ ଜାରି କରିଛି। ସେପଟେ ରବିବାର ୫ସହରରେ ତାପାମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼, ବଲାଙ୍ଗୀର ୪୧, ବୌଦ୍ଧ ଓ ଭବାନିପାଟଣାରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।