ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର (ସିଆଇଏଫ୍‌ଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସହଯୋଗ ଓ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଗୁରୁବାର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସିଆଇଏଫ୍‌ଏର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ଏହି ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ପାଇଁ ନିଶ୍ଚିତ ରୂପେ ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଏଫ୍‌ଏମ୍‌ୟୁର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଖୁସି ବ୍ୟକ୍ତ କରି ଏହି ବୁଝାମଣା ଯୋଗୁ ବିଶ୍ୱବିଦ୍ୟାଳୟ ତରଫରୁ ହାତକୁ ନିଆଯାଇଥିବା ଧାନ-ପାନ-ମୀନ ପ୍ରକଳ୍ପର ସମ୍ପୂର୍ଣ୍ଣ ରୂପାୟନରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।
ବିଶ୍ୱବିଦ୍ୟାଳୟ ବିଏସ୍‌ବିଟି ବିଭାଗର ମୁଖ୍ୟ ଡ. ଭାସ୍କର ବେହେରା ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୁଝାମଣାପତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହାକୁ ଏକ ଐତିହାସିକ ଘଟଣା ବୋଲି ମତପ୍ରକାଶ କରି ଏହା ଛାତ୍ରୀଛାତ୍ରମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ବୋଲି କହିଥିଲେ। କୁଳସଚିବ କୁକୁମିନା ଦାସ ଏହାକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହା ଏକ ଉନ୍ନତ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଡ. ଭାରତ ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।