Categories: ଜାତୀୟ

ଦେଶର ବିକାଶ ପାଇଁ ମିଳିମିଶି କାମ କଲେ ଲକ୍ଷ୍ୟ ହେବ ସହଜ: ମୋଦି

ନୂଆଦିଲ୍ଲୀ,୫।୧: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଭିଡ଼ିଓ କନଫରେନ୍ସିଂରେ କୋଚି-ମାଙ୍ଗାଲୁରୁ ୪୫୦ କିଲୋମିଟର ଦୀର୍ଘ ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ଲାଇନ୍‌ର ଲୋକାର୍ପଣ ଅବସରରେ ସେ ଏଭଳି କହିଛନ୍ତି। ଏହି ପ୍ରକଳ୍ପରେ ବହୁ ବାଧା ଦେଖାଦେଇଥିଲା। ତେବେ ଇଞ୍ଜିନିୟର, ଶ୍ରମିକ, ଚାଷୀ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଶେଷରେ ସଫଳ ହୋଇଥିବା ସେ କହିଛନ୍ତି। ଏହି ପାଇପ୍‌ ଲାଇନ୍‌ ଦ୍ୱାରା କର୍ନାଟକ ଏବଂ କେରଳର ବହୁବିଧ ଉନ୍ନତି ସମ୍ଭବ ହୋଇପାରିବ। ଏହାଯୋଗୁ ଦୁଇ ରାଜ୍ୟରେ ୨୧ ଲକ୍ଷ ନୂଆ ଗ୍ରାହକଙ୍କୁ ପିଏନ୍‌ଜି ସେବା ଯୋଗା ଦିଆଯିବ। ୨୦୧୪ରେ ଦେଶରେ ୨୫ ଲକ୍ଷ ପିଏନ୍‌ଜି ସଂଯୋଗ ଥିଲା। ତେବେ ଏବେ ଏହା ୭୨ ଲକ୍ଷରେ ପହଞ୍ଚିଛି। ସେହିପରି ୨୦୧୪ରେ ଦେଶରେ ୧୪ କୋଟି ଏଲ୍‌ପିଜି ସଂଯୋଗ ରହିଥିବା ଗତ ୬ ବର୍ଷ ମଧ୍ୟରେ ୧୪ କୋଟି ନୂଆ ସଂଯୋଗ ଯୋଗାଇ ଦିଆଯାଇଛି। ଉଜ୍ୱଳାଯୋଜନାରେ ଦେଶର ୮ କୋଟିରୁ ଅଧିକ ପରିବାରଙ୍କୁ ଏଲ୍‌ପିଜି ସେବା ଯୋଗାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Share