୧୮ ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ଚିନ୍ତାରେ ଚାଷୀ

ବାଲିକୁଦା,୧।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଜାନୁୟାରୀ ୧୩ ତାରିଖରୁ ଚାଷୀମାନେ ଧାନ ବସ୍ତା ରଖି ଜଗି ରହିଛନ୍ତି। ଇତିମଧ୍ୟରେ ୧୮ ଦିନ ବିତିଯାଇଥିଲେ ମଧ୍ୟ ମିଲରଙ୍କ ଦେଖା ମିଳୁନାହିଁ। ଏନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ସମସ୍ୟା ଲାଗି ରହିଲେ ଆଗକୁ ଟୋକନ ରଦ୍ଦ ହେବାର ଆଶଙ୍କା ରହିଛି ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଏନେଇ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ା
ପ୍ରକାଶ ଯେ, ଚଳିତ ବର୍ଷ ଅନନ୍ତପୁର ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ୪୪୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ଏହି ମଣ୍ଡିରେ ପ୍ରାୟ ୧୪ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁଇଣ୍ଟାଲ ଧାନ କିଣିବାକୁ ସରକାର ମଣ୍ଡିକୁ ଅନୁମତି ଦେଇଛନ୍ତି ା ମାତ୍ର ଏପର୍ଯ୍ୟନ୍ତ କେବଳ ଗୋଟିଏ ଗାଡି ଦ୍ୱାରା ୨୩୩.୮୭ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ା ଅପରପକ୍ଷେ ମଣ୍ଡିରେ ପ୍ରାୟ ୧ ହଜାର କୁଇଣ୍ଟାଲରୁ ଅଧିକ ଧାନବସ୍ତା ପଡ଼ି ରହିଛି। ଚାଷୀମାନେ ଶୀତ କାକରରେ ଧାନ ଜଗି ରହିବା ସହ ଅନ୍ୟ କିଛି କାମ କରିପାରୁନାହାନ୍ତି। ଚଳିତ ବର୍ଷ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ମଣ୍ଡିରୁ ଧାନ ଉଠାଇବା ୪ ମିଲରଙ୍କୁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ଏମ୍‌ଏସସ୍‌ ସାରଦା ଇଣ୍ଡଷ୍ଟ୍ରି, ଚୌଧୁରୀ ରାଇସ ଆଣ୍ଡ ଚୁଡା ଇଣ୍ଡଷ୍ଟ୍ରି, ନାରାୟଣ ରାଇସ ମିଲ ଓ ସୁମିତ୍ରା ଆଗ୍ରୋ। ସେମାନଙ୍କ ମଧ୍ୟରୁ କେବଳ ଚୌଧୁରୀ ଇଣ୍ଡଷ୍ଟି ଗୋଟିଏ ଗାଡ଼ିରେ ଧାନ ନେଇଥିବା ବେଳେ ଅନ୍ୟ କୌଣସି ମିଲରଙ୍କ ଦେଖାନାହିଁ।
ସରକାରଙ୍କ ନିୟମ ଅନୁସାରେ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମାତ ୧ ମାସ ା ଚାଷୀ ଯେଉଁ ତାରିଖରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବେ ତାର ୧ ମାସ ଭିତରେ ଧାନ ବିକ୍ରି କରି ପାରିବ ା ନ ହେଲେ ସେମାନଙ୍କ ଟୋକନ ରଦ୍ଦ ହୋଇଯିବ ା ସେହି ଦୃଷ୍ଟିରୁ ଆଉ ୧୩ ଦିନ ପର୍ଯ୍ୟନ୍ତ ମଣ୍ଡି ଠିକ୍‌ ଭାବେ ନ ଚାଲିଲେ ଚାଷୀଙ୍କ ଟୋକନ ରଦ୍ଦ ହେବା ଆଶଙ୍କା ରହିଛି।
ଏ ସମ୍ପର୍କରେ ଅନନ୍ତପୁର ସେବା ସମବାୟ ସମିତିର ସମ୍ପାଦକ ଜୟନ୍ତ ହାତୀ କହିଛନ୍ତି, ଏହି ମଣ୍ଡିରୁ ଧାନ ଉଠାଇବା ପାଇଁ ଅନୁମତି ପାଇଥିବା ମିଲରମାନଙ୍କ ସହ ପ୍ରତ୍ୟେକ ଦିନ ଯୋଗାଯୋଗ କରାଯିବା ସହ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ମିଲର ନ ଆସିବା ପର୍ଯ୍ୟନ୍ତ ସମିତି ପକ୍ଷରୁ କିଛି କରାଯାଇପାରିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଏସମ୍ପର୍କରେ ମିଲର ଏମଏସ ସାରଦା, ଚୌଧୁରୀ ଓ ସୁମିତ୍ରା ଆଗ୍ରୋଙ୍କ ମାଲିକଙ୍କୁ ପଚାରିବାରୁ ଗାଡି ସମସ୍ୟା ପାଇଁ ଧାନ ଉଠାଇବାରେ ବିଳମ୍ବ ହେଉଛି। ବୁଧବାର ଗାଡି ପଠାଯାଇ ଧାନ ଉଠାଯିବ ବୋଲି ସେମାନେ କହିଛନ୍ତି। ଖାଲି ଅନନ୍ତପୁର ନୁହେଁ ବାଲିକୁଦା, ନହରଣା, ବରମୁଣ୍ଡଳି, କାଞ୍ଜିଆକଣ, ଦୁଆ, ରାହାଣ, ଅପଣ୍ଡରା ଆଦି ଅଧିକାଂଶ ମଣ୍ଡି ମଧ୍ୟରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।