Categories: ଜାତୀୟ

ସଂସଦ ଭବନ କ୍ୟାଣ୍ଟିନ୍‌ରେ ଖାଇବା ହେଲା ମହଙ୍ଗା

ନୂଆଦିଲ୍ଲୀ, ୨୭।୧: ସଂସଦ ଭବନ କ୍ୟାଣ୍ଟିନରେ ଏଣିକି ଖାଇବା ମହଙ୍ଗା ହେବ। କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି। ପ୍ରତି ଖାଦ୍ୟ ପାନୀୟର ଦାମ୍‌ ୩ ଗୁଣା ବୃଦ୍ଧି କରାଯାଇଛି। ଲୋକସଭା ସଚିବାଳୟରେ ଥିବା କ୍ୟାଣ୍ଟିନ୍‌ରେ ଭେଜ୍‌ ଥାଳି ଦାମ୍‌ ୧୦୦ଟଙ୍କା ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହାର ଦାମ ୩୦ ଟଙ୍କା ଥିଲା। ସେହିପରି ମିନି ଥାଳି ଦାମ ୧୬ଟଙ୍କା ଥିବାବେଳେ ଏବେ ଏହା ୫୦ ଟଙ୍କା ହୋଇଛି। ରୁଟି ଦାମ ପୂର୍ବରୁ ଟଙ୍କାଏ ଥିଲା। ଏବେ ଏହା ୩ ଟଙ୍କା ହୋଇଛି। ସେହିପରି ଭାତ ପ୍ଲେଟ୍‌ ଦାମ ୭ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି ପାଇଛି। ୨ଟି ଇଡ୍‌ଲି ଦାମ୍‌ ୨୫ ଟଙ୍କା ହୋଇଥିବାବେଳେ ଦୋସା ଦାମ ୫୦ ଟଙ୍କା, ଦହି ଭାତ ୪୦ ଟଙ୍କା ହୋଇଛି। ପୂର୍ବରୁ ଚିକେନ ବିରିୟାନି ଦାମ ୬୫ ଟଙ୍କା ଥିବାବେଳେ ଏବେ ଏହା ୧୦୦ଟଙ୍କା କୁ ବୃଦ୍ଧି ପାଇଛି। ମଟନ୍‌ ବିରିୟାନି ଦାମ୍‌ ୭୫ ଟଙ୍କା ଥିବାବେଳେ ଏବେ ଏହା ୧୫୦ ଟଙ୍କା ହୋଇଛି। ଚିକେନ୍‌ କରି ଦାମ ୭୫ ଟଙ୍କା ହୋଇଥିବାବେଳେ ମଟନ କରି ଦାମ୍‌ ୧୨୫ ଟଙ୍କା ହୋଇଛି। ପୂର୍ବରୁ ଖାଦ୍ୟରେ ପ୍ରଦାନ କରାଯାଉଥିବା ରିହାତିକୁ ଏବେ ବନ୍ଦ କରାଯାଇଛି। ଏହା ଦ୍ୱାରା ବର୍ଷକୁ ୧୦ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।

Share