୩୫ଲକ୍ଷ ଟଙ୍କାରେ ହୋଇଥିଲା ନିର୍ମାଣ: ଏବେ ମିଶନ ଶକ୍ତି କାଫେରେ ପଡିଛି ତାଲା

ଚାନ୍ଦବାଲି,୧୩।୨(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ଜୁନ୍‌ରେ ଉଦ୍‌ଘାଟନ ହୋଇଥିବା ମିଶନ ଶକ୍ତି କାଫେରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।

ଏଭଳିସ୍ଥତିରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କାଫେ ଆଗରେ ପକୁଡ଼ି ବିକି ଅଭିନବ ପ୍ରତିବାଦ କରାଯାଇଛି। ଜୁନ୍‌ରେ ୫-ଟି ସଚିବ ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ ଏହି କାଫେ ଉଦ୍‌ଘାଟନ କରି ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବା ସହ ଏହା ରାଜ୍ୟର ସର୍ବଶ୍ରେଷ୍ଠ କାଫେ ବୋଲି କହିଥିଲେ।

୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାଫେରେ ଶୀତତାପ ନିୟନ୍ତ୍ରିତ ସାଙ୍ଗକୁ ଅତ୍ୟାଧୁନିକ ଲାଇଟ୍‌ ମ୍ୟୁଜିକ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ମାସେ ହେଲା କାଫେରେ ତାଲା ଝୁଲୁଥିବାରୁ ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି।

କାଫେ ବନ୍ଦ ରହିଥିବାରୁ ଭାଜପା ମହିଳା ମୋର୍ଚ୍ଚା ଏହା ସମ୍ମୁଖରେ ପକୁଡ଼ି, ପାଣି ବୋତଲ ବିକ୍ରି କରି ପ୍ରତିବାଦ ଜଣାଇଛି। ବ୍ଲକ ଅଫିସ୍‌ ସମ୍ମୁଖରେ ଥିବା କାଫେରେ ତାଲା ପଡ଼ିଥିବା ବେଳେ ମାତ୍ର ୧୦୦ ମିଟର ଦୂରତାରେ ଚାନ୍ଦବାଲି ଡାକ୍ତରଖାନା ପରିସରରେ ଅନ୍ୟ ଏକ କାଫେ କାହା ସ୍ବାର୍ଥରେ ନିର୍ମାଣ କରାଯାଉଛି ବୋଲି ଭାଜପା ମହିଳା ମୋର୍ଚ୍ଚାର ଏନ୍‌ଏସି ସଭାନେତ୍ରୀ ଅଞ୍ଜନା ମହଲା ପ୍ରଶ୍ନ ଉଠାଇଛନ୍ତି। ମୋର୍ଚ୍ଚାର ଜିଲା ସମ୍ପାଦିକା ମାଳତୀଲତା ସାହୁ, ସମ୍ପାଦିକା ସୌଦାମିନୀ ଜେନା, ରଶ୍ମିତା ସାହୁ, ସଙ୍ଗୀତା ବେହେରା, ରିହାନା ବିବି, ପ୍ରମିଲତା ବାରିକ ପ୍ରମୁଖ ଏଥିରେ ସାମିଲ ଥିଲେ।