Categories: ବାଣିଜ୍ୟ

ସରିଲା ଡେଡ୍‌ଲାଇନ, କଟିବ ଫାଇନ

ନୂଆଦିଲ୍ଲୀ,୧୧।୧:  ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ। ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା। ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜଣାଇ ସରକାର ଏହାର ଅବଧି ବୃଦ୍ଧି କରି ୧୦ ଜାନୁୟାରୀ ୨୦୨୧କୁ ଘୁଞ୍ଚାଇ ଦେଇଥିଲେ। ଫଳରେ ଆଇଟିଆର ଫାଇଲ କରିବାର ଶେଷ ସୁଯୋଗ ରବିବାର ରହିଥିଲା। ଯେଉଁ କରଦାତା ସେମାନଙ୍କର ଫାଇଲ କୌଣସି କାରଣବଶତଃ କରି ପାରିନାହାନ୍ତି ସେମାନଙ୍କୁ ଏହା ପରେ ଫାଇନ ଦେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆୟକର ରିଟର୍ନ ଫାଇଲ କରୁଥିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେବା ଉଚିତ। ଆୟକର ବିଭାଗର ସୂଚନା ମୁତାବକ କମ୍ପାନୀମାନଙ୍କୁ ଆଇଟିଆର ଫାଇଲର ଶେଷ ତାରିଖକୁ ବୃଦ୍ଧି କରାଯାଇ ୧୫ ଫେବୃୟାରୀ ୨୦୨୧ କରିଦିଆଯାଇଛି। ଅଗଷ୍ଟ ୨୦୨୦ରେ କେନ୍ଦ୍ର ସରକାର ଆୟକର ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ତାଲିକା ଜାରି କରିଥିଲେ। ଫଳରେ ସରକାରୀ ତଥ୍ୟ ଅନୁଯାୟୀ ୧୩୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ଭାରତରେ ମାତ୍ର ୧.୫ କୋଟି ଲୋକ ଆୟକର ଦିଅନ୍ତି। ଯଦି ଏହାର ତୁଳନା ମୋଟ ଜନସଂଖ୍ୟା ସହ କରାଯାଏ ତେବେ ଦେଶର ଜନସଂଖ୍ୟାର ମୋଟ ଏକ ପ୍ରତିଶତରୁ କମ ଲୋକ ଆୟକର ଦେଉଛନ୍ତି। ରାତି ୧୦ଟା ସୁଦ୍ଧା ବିଭାଗୀୟ ସୂଚନା ଅନୁସାରେ ପ୍ରାୟ ୨୫ ଲକ୍ଷ କରଦାତା ଫାଇଲ କରିଥିବା ଜଣା ପଡ଼ିଛି।

Share