ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ ଯୋଜନା ଆରମ୍ଭ ହୋଇଛି। ଯୋଜନାର ମୂଳ ଲକ୍ଷ୍ୟ ହେଲା ଛାତ୍ରୀଛାତ୍ରଙ୍କୁ ପ୍ରକୃତି ଉପରେ ସଚେତନ କରିବା। ସଚେତନତା ଅଭାବରୁ ଅନେକ ମୂଲ୍ୟବାନ ବୃକ୍ଷକୁ ଆମେ ବିଭିନ୍ନ ସମୟରେ ନଷ୍ଟ କରିଦେଉଛନ୍ତି। ଏଥିସହ ଆବଶ୍ୟକ ସ୍ଥଳେ ସଚେତନତା ଅଭାବରୁ ତାକୁ ବ୍ୟବହାର ମଧ୍ୟ କରି ପାରୁନାହାନ୍ତି। ତେଣୁ ପ୍ରକୃତି ଉପରେ ସଚେତନ କରାଇବା ଲକ୍ଷ୍ୟରେ ବର୍ତ୍ତମାନ ବିଭିନ୍ନ ବନଖଣ୍ଡରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଛି।
ଏହିଭଳି ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସାଧନବ୍ୟକ୍ତି ଭାବେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ ଯୋଗଦେଇ ବିଭିନ୍ନ ବୃକ୍ଷ ଉପରେ ସଚେତନ କରାଇଥିଲେ। ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବିବେକ କୁମାର ଦାସ, ବିମଳ କୁମାର ପ୍ରଧାନ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ବନରକ୍ଷୀ ମନୋଜ କୁମାର ନାୟକ, ବନପାଳ ବବୁଲ ସେଠୀ, ବନରକ୍ଷୀ ଗାୟତ୍ରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରକୃତି ହେଉଛି ଆମ ଚତୁଃପାର୍ଶ୍ୱରେ ଥିବା ସମସ୍ତ ପ୍ରାକୃତିକ ଉପାଦାନର ସମାହାର। ପର୍ବତ, ନଦୀ, ଜଙ୍ଗଲ, ପଶୁପକ୍ଷୀ, ସୂର୍ଯ୍ୟ, ଚନ୍ଦ୍ର ଓ ଜଳ ଇତ୍ୟାଦି ପ୍ରକୃତିର ଅଂଶ। ପ୍ରକୃତି ମାନବ ଜୀବନର ମୂଳ ଆଧାର। ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ଖାଦ୍ୟ, ବାୟୁ ଓ ଜଳ ପ୍ରକୃତିରୁ ମିଳେ। ପ୍ରକୃତି ଆମକୁ ସୌନ୍ଦର୍ଯ୍ୟ ଓ ଶାନ୍ତି ଦେଇଥାଏ। ସବୁଜ ଜଙ୍ଗଲ, ଫୁଲର ସୁଗନ୍ଧ, ପକ୍ଷୀମାନଙ୍କର କୁହୁକୁହୁ ଶବ୍ଦ ଆମ ମନକୁ ଆନନ୍ଦିତ କରେ। ଏହା ସହିତ ପ୍ରକୃତି ପରିବେଶର ସନ୍ତୁଳନ ରକ୍ଷା କରେ। କିନ୍ତୁ ବର୍ତ୍ତମାନ ଲୋକଙ୍କ ଅସାବଧାନତା ଯୋଗୁଁ ପ୍ରକୃତି ନଷ୍ଟ ହେଉଛି। ଜଙ୍ଗଲ ନଷ୍ଟ, ପ୍ରଦୂଷଣ ଓ ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ପରିବେଶକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ ଗଛ ଲଗାଇବା, ପରିବେଶ ସଫା ରଖିବା ଓ ପ୍ରକୃତିକୁ ସୁରକ୍ଷା କରିବା ଆବଶ୍ୟକ। ପ୍ରକୃତି ଆମର ଜୀବନ ସାଥୀ। ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଆଜିର ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ରେଞ୍ଜର ବିମ୍ବାଧର ସାହୁ କହିଥିଲେ।