ତିନି ଲେୟାର, ଏନ୍‌-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଓଡ଼ିଶାରୁ ୪ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହେବାପରେ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଗୋଟିଏ ଲେୟାର ମାସ୍କ ନ ପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍‌-୯୫ ମାସ୍କ ପିନ୍ଧିବା ପାଇଁ ଡିଏମ୍‌ଇଟି ରମାରମଣ ମହାନ୍ତି ପରାମର୍ଶ ଦେଇଛନ୍ତି। ଏଥିସହ ଓମିକ୍ରନ ୫ଗୁଣ ଅଧିକ ଜୋରରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ ଲଗାଯାଇଛି। ଯେଉଁଠି ଗହଳି ଓ ବଣଭୋଜି ହେଉଛି, ସେଠାରେ ଆକ୍ସନ ନେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିସହ ଆଉ ୪ଟି ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ଯାଇଥିବା ସେ ସୂଚନା ଦେଇଛନ୍ତି। ଆଇସିୟୁ ବେଡ୍‌ ଓ ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ୍‌ରେ ରଖାଯାଇଥିବା ଡିଏମ୍‌ଇଟି ସୂଚନା ଦେଇଛନ୍ତି।
ଓମିକ୍ରନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାରୁ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଦୁଇଟି ଅଧ୍ୟୟନ କହୁଛି ଓମିକ୍ରନ୍‌ର ବିଶେଷ ପ୍ରଭାବ ପଡ଼ି ନ ପାରେ। କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡ଼ିବ। ଭିଡ଼ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ଼ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଯେତେ ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତିି। ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ରାଜ୍ୟରେ ଘରକୁ ଘର ଟିକାକରଣ ଜାରି ରହିଛି। ୨ କୋଟି ୮୮ ଲକ୍ଷ ଲୋକ ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ୩୭ ଲକ୍ଷ ଲୋକ ପ୍ରଥମ ଡୋଜ୍‌ ଟିକା ନେଇ ନ ଥିବାବେଳେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଜାନୁୟାରୀ ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପାଣିଗ୍ରାହୀ କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯ ଜିଲାରୁ ୧୪୧ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦,୫୩,୬୪୫ରେ ପହଞ୍ଚତ୍ଛି। ସେହିଭଳି ରାଜ୍ୟରେ ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ କରୋନା ଜନିତ ମୃତ୍ୟୁ ୮,୪୫୦କୁ ବୃଦ୍ଧି ପାଇଛି।