Categories: ଜାତୀୟ

ଚନ୍ଦ୍ରରେ ଜଳ ସୃଷ୍ଟି ସମ୍ଭବ

ବେଙ୍ଗାଲୁରୁ,୧୬ା୯: ପୃଥିବୀର ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରୋନ୍‌ଗୁଡ଼ିକରୁ ଚନ୍ଦ୍ର ପୃଷ୍ଠରେ ଜଳ ପ୍ରସ୍ତୁତ କରାଯାଇପାରିବ। ବୈଜ୍ଞାନିକମାନଙ୍କର ଏକ ଟିମ୍‌ ଭାରତର ଚନ୍ଦ୍ରୟାନ-୧ ଲୁନାର ମିଶନ ପଠାଇଥିବା ରିମୋଟ୍‌ ସେନ୍‌ସିଂ ଡେଟା ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆବିଷ୍କାର ନେଚର ଆଷ୍ଟ୍ରୋଲୋଜି ପତ୍ରିକାରେ ପ୍ରକାଶ ପାଇଛି। ଆମେରିକାର ହାଓ୍ବାଇ ୟୁନିଭର୍ସିଟିର ବୈଜ୍ଞାନିକମାନେ ଚନ୍ଦ୍ରୟାନ-୧ ପଠାଇଥିବା ତଥ୍ୟ ଉପରେ ଗବେଷଣା ଚଳାଇଥିଲେ। ପୃଥିବୀର ପ୍ଲାଜ୍‌ମା ଶିଟ୍‌ରେ ଥିବା ଇଲେକ୍ଟ୍ରୋନ୍‌ଗୁଡ଼ିକର ଚନ୍ଦ୍ରପୃଷ୍ଠରେ ଜଳବାୟୁ ପ୍ରକ୍ରିୟା ପ୍ରତି ଅବଦାନ ରହିବ। ଏବେ ପ୍ରୋଟୋନ୍‌ ଭଳି ଉଚ୍ଚଶକ୍ତି କଣିକାଯୁକ୍ତ ସୌରବାୟୁ ଚନ୍ଦ୍ରପୃଷ୍ଠରେ ମାଡ଼ ହେଉଛି। ଏହା ଚନ୍ଦ୍ରରେ ଜଳ ସୃଷ୍ଟିରେ ଅନ୍ୟତମ ପ୍ରାଥମିକ ଉପାୟ ହେବ ବୋଲି ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି। ପ୍ଲାନେଟାରି ସାଇଣ୍ଟିଷ୍ଟ ଶୁଇ ଲି’ଙ୍କ ନେତୃତ୍ୱରେ ବୈଜ୍ଞାନିକମାନଙ୍କ ଟିମ୍‌ ଏହି ଅନୁଧ୍ୟାନ ଚଳାଇଥିଲେ।
ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ୁ ନ ଥିବା ଅଞ୍ଚଳରେ ଜଳ ବରଫ ଅବସ୍ଥାରେ ଗଚ୍ଛିତ ଥିବା ପୂର୍ବରୁ ଜଣାପଡ଼ିଥିଲା। ଏହି ବରଫ କେଉଁଠୁ ସୃଷ୍ଟି ହୋଇଛି, ତାହା ବୁଝିବାରେ ଏହି ଅଧ୍ୟୟନ ସହାୟକ ହେବ ବୋଲି କୁହାଯାଇଛି। ୨୦୦୮ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୧ ଲଞ୍ଚ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ସନ୍ଧାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।

Share