Categories: ଜାତୀୟ

ଅନୁସନ୍ଧାନ ପ୍ରଭାବିତ ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ଜାମିନ୍‌ ମଞ୍ଜୁର ନ କରିବା ଠିକ୍‌ ନୁହେଁ…

ନୂଆଦିଲ୍ଲୀ,୨୭।୨ : ଅଭିଯୁକ୍ତଙ୍କ ଜାମିନ୍‌ ଦ୍ୱାରା ଅନୁସନ୍ଧାନ ପ୍ରଭାବିତ ହେବାର ଅସ୍ପଷ୍ଟ ଆଶଙ୍କା କରି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ନାହିଁ। ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି କହିଛନ୍ତି। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୌଣସି ଆପରାଧିକ ମାମଲାରେ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ ହେବାର ଆଶଙ୍କା ନଥାଏ। ଏପରିସ୍ଥଳେ ଅଭିଯୁକ୍ତଙ୍କର ବ୍ୟକ୍ତିଗତ ସ୍ବାଧୀନତାକୁ ବଞ୍ଚିତ କରିବାର ଅଧିକାର ମଧ୍ୟ ନାହିଁ।

ତାଙ୍କ ଦ୍ୱାରା ଅନୁସନ୍ଧାନରେ ହସ୍ତକ୍ଷେପର ଆଶଙ୍କା କରି ଏହାକୁ ଜାମିନ ନାମଞ୍ଜୁର କରିବାର ଏକମାତ୍ର ମାନଦଣ୍ଡ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଜାମିନର ଉଦ୍ଦେଶ୍ୟ ହେଉଛି ବିଚାର ସମୟରେ ଅଭିଯୁକ୍ତଙ୍କ ଉପସ୍ଥିତି ସୁରକ୍ଷିତ ରଖିବା। ତେଣୁ ଉଦ୍ଦେଶ୍ୟ ଦଣ୍ଡନୀୟ କିମ୍ବା ପ୍ରତିରୋଧକାରୀ ନୁହେଁ।

ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି, ତାଙ୍କୁ ନ୍ୟାୟ ପ୍ରଦାନରୁ ବଞ୍ଚିତ ରଖାଯିବା ଉଚିତ ନୁହେଁ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୦୬, ୪୨୦, ୪୦୯ ଏବଂ ୧୨୦-ବି ଅନ୍ତର୍ଗତ କୋର୍ଟ ଦୁଇ ଜଣ ଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ଉଭୟ ଆବେଦନକାରୀଙ୍କ ବିରୋଧରେ ମାମଲା ବିଚାରାଧୀନ ଅଛି। ଅଭିଯୁକ୍ତମାନେ ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ସମ୍ଭାବନା ମଧ୍ୟ ରହିଛି।

ତେବେ କୋର୍ଟ ଦର୍ଶାଇଛନ୍ତି ଯେ ଏହା ଜାମିନ ନାମଞ୍ଜୁର ହେବାର ଏକମାତ୍ର କାରଣ ହୋଇପାରିବ ନାହିଁ। ଉଭୟ ଆବେଦନକାରୀ ଏକ ବର୍ଷରୁ ଅଧିକ ସମୟ ଜେଲରେ ଥିବା ଦର୍ଶାଇ କୋର୍ଟ କହିଛନ୍ତି। ଚାର୍ଜସିଟ ତଥା ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଛି। ଉପଲବ୍ଧ ସମସ୍ତ ପ୍ରମାଣ ଡକ୍ୟୁମେଣ୍ଟାରୀ ଏବଂ ତଦନ୍ତ ଅଧୀନରେ ଅଛି। ମାତ୍ର ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହୋଇ ନାହିଁ। ତେଣୁ ସେହି ଅନୁଯାୟୀ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Share