Categories: ଜାତୀୟ

ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ…

ନୂଆଦିଲ୍ଲୀ,୬।୧୦: ଉତ୍ସବ ପାଳନ କରିବାକୁ ମନା ନାହିଁ। କିନ୍ତୁ ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦିଲ୍ଲୀରେ ବାଣ ବିକ୍ରି ମନା ଏବଂ ଏହାର ବ୍ୟବହାର ବନ୍ଦ କରିବା ବିରୋଧରେ କରାଯାଇଥିବା ଏକ ପିଶିଟନ୍‌ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କହିଛନ୍ତି।

ବାଣ ଉପରେ ପ୍ରତିବନ୍ଧକ ପରେ ମଧ୍ୟ ଏହାର ବ୍ୟବହାର କରାଯାଉଥିବାରୁ କୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଦେଶର ମୁଖ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଆଦେଶ ଜାରି କରିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କୌଣସିସ୍ଥଳେ ଅନ୍ୟମାନଙ୍କ ଜୀବନକୁ ସଙ୍କଟରେ ପକାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ଏମ୍‌.ଆର. ଶାହା ଏବଂ ଜଷ୍ଟିସ ଏ.ଏସ. ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ  କହିଛନ୍ତି ଯେ, ଅନ୍ୟମାନଙ୍କ ଜୀବନ ମୂଲ୍ୟରେ ଏହି ପର୍ବ ଅନୁଷ୍ଠିତ ହୋଇପାରିବ ନାହିଁ। ଆମେ ଉତ୍ସବ ପାଳନ କରିବା ବିରୋଧୀ ନୁହେଁ। ଆପଣ ଏହି ପର୍ବ ପାଳନ କରିବାକୁ ଚାହୁଁଛନ୍ତି। ଆମେ ମଧ୍ୟ ଉତ୍ସବ ପାଳନ କରିବାକୁ ଚାହୁଁଛୁ । କିନ୍ତୁ କେଉଁ ମୂଲ୍ୟରେ, ଆମକୁ ମଧ୍ୟ ଏହା ବିଷୟରେ ଚିନ୍ତା କରିବାକୁ ପଡିବ। ବାଣଫୁଟା କାରଣରୁ ଶ୍ୱାସରୋଗ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକମାନେ ପ୍ରଭାବିତ ହୋଇଥାନ୍ତି।

ବାଣ ନିର୍ମାତା କହିଛନ୍ତି ଯେ ଆମେ କେବଳ ଗୋଦାମରେ ଏସବୁ ରଖିଛୁ। କାହିଁକି ବାଣ ଗୋଦାମରେ ରଖାଯାଏ ? ଏଗୁଡିକ କ୍ରୟ ପାଇଁ ନୁହେଁ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଗୋଦାମରେ ବାଣ ରଖିବା ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନ କରିବା ଅଭିଯୋଗରେ ସୁପ୍ରିମକୋର୍ଟ ୬ଟି ବାଣ କମ୍ପାନୀକୁ ଅବମାନନା ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ରେ କରାଯିବ।

Share