ପରିବେଶକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ

ପ୍ରତିଦିନ ବିଭିନ୍ନ କାରଣରୁ ପ୍ରଦୂଷଣ ବଢ଼ୁଛି। ଏଥିଯୋଗୁ ବାତ୍ୟା ଓ ବନ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଠିକ୍‌ ସମୟରେ ବର୍ଷା ହେଉନାହିଁ, ଖରା ଓ ଗ୍ରୀଷ୍ମ ପ୍ରବାହ ହେଉଛି। ପରିବେଶ ପ୍ରଦୂଷଣ ଯୋଗୁ କେବଳ ମନୁଷ୍ୟମାନେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି, ବରଂ ଜୀବଜନ୍ତୁ, ପଶୁପକ୍ଷୀଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ପରିବେଶକୁ ସଫା ରଖିବା ସହ ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ପ୍ଲାଷ୍ଟିକ ବ୍ୟବହାରକୁ କମ୍‌ କରିବା ଓ ଗଛ କମ୍‌ କାଟିବା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।

ସ୍ବରାଜ ବାରିକ
ଅଭିନେତା

ସବୁ ପ୍ରଦୂଷିତ, ବଞ୍ଚିବା କଷ୍ଟକର
ଜନସଂଖ୍ୟା ସହ ପରିବେଶ ପ୍ରଦୂଷଣ ବଢ଼ୁଛି। ଯାନବାହନ ଚଳାଚଳ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବାୟୂ ପ୍ରଦୂଷଣ ହେଉଛି। ଅଳିଆ ଆବର୍ଜନାକୁ ବାହାରେ ପକାଯାଉଥିବାରୁ ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେଉଛି। ଆମେ ପୂଜା ସାମଗ୍ରୀଠାରୁ ଆରମ୍ଭ କରି ଅଳିଆ ଆବର୍ଜନାକୁ ପାଣିରେ ପକାଉଥିବାରୁ ଜଳ ପ୍ରଦୂଷିତ ହେଉଛି। ଜଳ, ବାୟୁ, ମାଟି ପ୍ରଦୂଷିତ ହୋଇଥିବାରୁ ଆମେ ସୁସ୍ଥ ଭାବେ ବଞ୍ଚତ୍ବା କଷ୍ଟକର ହେଉଛି। ଭବିଷ୍ୟତ ପିଢ଼ି ମଧ୍ୟ ବଡ଼ ଚ୍ୟାଲେଞ୍ଜ ଆସିବ। ତେଣୁ ଆମକୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡିବ।

ଅକାସ୍ମିକା ସ୍ବାଇଁ
ଛାତ୍ରୀ, ସରକାରୀ ଆୟୁର୍ବେଦ କଲେଜ ଆଣ୍ଡ୍‌ ହସ୍ପିଟାଲ, ବଲାଙ୍ଗୀର

ପ୍ରଥମେ ନିଜକୁ ସୁଧାରିବାକୁ ହେବ
ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି। ଏଥିଜନିତ ବିପଦରୁ ରକ୍ଷା ପାଇବା ଲାଗି ଆମ ସମସ୍ତଙ୍କୁ ନିଜ ଅନୁସାରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଆବଶ୍ୟକ ମୁତାବକ ବିଦ୍ୟୁତ୍‌ ଓ ଜଳର ବ୍ୟବହାର କରିବାକୁ ପଡ଼ିବ। ଭବିଷ୍ୟତ ପିଢ଼ି ପାଇଁ ଆମକୁ ଚିନ୍ତା କରିବାକୁ ହେବ। ସମସ୍ତେ ମିଶି ପରିବେଶକୁ ସଫା ରଖିପାରିବା, ଗଛ ଲଗାଇବା। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ସହିତ ମିଶି ଆମେ ପରିବେଶକୁ ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କରିବା।

ସ୍ବୀକୃତି ପଣ୍ଡା
ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ

ଗାଡ଼ି ବଦଳରେ ସାଇକେଲ ଚଲେଇବା
ଭୁବନେଶ୍ୱରରେ ଗାଡି ସଂଖ୍ୟା ହୁହୁ ବଢ଼ି ଚାଲିଛି। ୧୦ବର୍ଷ ପୂର୍ବରୁ ଏତେ ଗାଡି ନ ଥିଲା କି ଟ୍ରାଫିକ୍‌ ଜାମ୍‌ ହେଉ ନ ଥିଲା। ଏବେ ଗାଡି ସଂଖ୍ୟା ଅଧିକ ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି। ଗୋଟିଏ ଘରେ ଦୁଇଟି ବାଇକ, ଦୁଇଟି କାର ଦେଖିବାକୁ ମିଳୁଛି। କିନ୍ତୁ ଆମକୁ ପବ୍ଲିକ ଯାନବାହନର ବ୍ୟବହାର ବଢ଼ାଇବା ଜରୁରୀ। ଗାଡ଼ି ବଦଳରେ ସାଇକେଲ ଚଲାଇବା ପ୍ରତି ଅଧିକ ଧ୍ୟାନ ଦେବା। ଅଧିକରୁ ଅଧିକ ଗଛ ଲଗାଇବା। ଗଛ ପରିମାଣ ବଢ଼ିଲେ ହିଁ ପରିବେଶ ପ୍ରଦୂଷଣ କମିବ।
ସମ୍ଭବ ମାନସିଂହ
ଅଭିନେତା

Dharitri – Odisha’s No.1 Odia Daily

Share