୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷା ଋତୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ସେତୁ ନିର୍ମାଣ ପାଇଁ ୨ କୋଟି ୨୩ ଲକ୍ଷ ୧ ହାଜର ୩୮୫ ଟଙ୍କା ମଞ୍ଜୁର ହୋଇଥିଲା। କେସିଙ୍ଗାର ଜଣେ ଠିକାଦାରଙ୍କୁ ଟେଣ୍ଡର ମଧ୍ୟରେ ଠିକା ଦିଆଯାଇଥିଲେ। ମଶାଣିବନ୍ଧ ଗ୍ରାମ ପଟୁ ଆପ୍ରୋଚ ରାସ୍ତା ନିମାଣ ହୋଇ ୩ଟି ଖୁଣ୍ଟ ନିର୍ମାଣ କାମ ଶେଷ ହୋଇଯାଇଛି।
ଆସନ୍ତା ବର୍ଷା ଋତୁରେ ଲୋକମାନେ ରେଙ୍ଗାଲି, କଛାରପଦର-ଭମରମାଲ ହୋଇ କେସିଙ୍ଗାକୁ ଯିବାକୁ ପଡିବ। କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ତ୍ରୁଟିପୂର୍ଣ୍ଣ ଡିପିଆର ଯୋଗୁ ଜମି ଅଧିଗ୍ରହଣର ଯୋଜନା କରା ନ ଯାଇ ସେତୁ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଜମି ମାଲିକମାନେ ଅଧିକ ଟଙ୍କା ଦାବି କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ଭୁଲ ନୀତି ଯୋଗୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ତତ୍କାଳୀନ ଏସ୍‌ଡିଓ ଯନ୍ତ୍ରୀ ସେତୁର ଖର୍ଚ୍ଚ ଅଟକଳର ଯୋଜନା କରି ପାରିଲେ ଅଥଚ ଜମି ଅଧିଗ୍ରହଣ କଥା କିଭଳି ଭୁଲି ଗଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆଜକୁ ବର୍ଷ ବର୍ଷ ଧରି ସେତୁ ନିର୍ମାଣ କାର୍ଯ୍ୟରେ ଘୋର ସମସ୍ୟା ଦେଖାଦେବା ସହ ଅଞ୍ଚଳବାସୀ ଯଥା ମଶାଣିବନ୍ଧ, ବାଲସି, ବୁଢ଼ୀପଦର, କୋକୋଡ଼ମାଲ, କଲୋନୀପଡା ଆଦି ଗ୍ରାମର ଶହ ଶହ ଲୋକମାନେ ବର୍ଷା ଋତୁରେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ସମ୍ମୁଖୀନ ହେବେ। ମଶାଣିବନ୍ଧଠାରୁ ବାଲସି, ବୁଡିପଦର, ରୁପ୍ରା ରୋଡ଼କୁ ସଂଯୋଗ କରୁଥିବା ୭.୨୦୦ କି.ମି. ରାସ୍ତା ପିଚୁ କାମ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୨ କୋଟି, ୯୨ ଲକ୍ଷ ୪୯ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଯାଇଛି। ମଶାଣିବନ୍ଧଗ୍ରାମର ତାରିଣୀ ମନ୍ଦିରଠାରୁ ମଶାଣିବନ୍ଧ-ଭମରମାଲ ସେତୁ ଦେଇ ଭମରମାଲ ଆରଡି ରାସ୍ତା ସଂଯୋଗ କରୁଥିବା ପ୍ରାୟ ୫ କି.ମି. ରାସ୍ତା ଓ ଅର୍ଦ୍ଧନିର୍ମିତ ସେତୁର ନିର୍ମାଣ ପାଇଁ ଶୀଘ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ.ଅଜିତ କୁମାର ସିଂଙ୍କୁ ପଚାରିବାରୁ ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଯାଇଛି, ମ୍ୟୁଟେସନ କାମ ଶେଷ ହୋଇଗଲେ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ କାମ ଆରମ୍ଭ କରିବେ ବୋଲି କହିଥିଲେ।