୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା

ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା ପାଇଁ ଶୌଚାଳୟ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ବା ସାମୂହିକ ପାଇଖାନା ଏବେ ନାନା ଅବ୍ୟବସ୍ଥା ଘେରରେ ରହିଛି। ୱାର୍ଡ ନଂ. ୨ ମସଜିଦ ଗଳିରେ ୧୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟରେ ୫ ମାସ ହେଲା ତାଲା ଝୁଲୁଛି। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁରୂପ ଭାବେ ଖଡିଆ ବସ୍ତିରେ ଆଦୌ ଶୌଚାଳୟ ନାହିଁ। ୱାର୍ଡ ନଂ. ୩ର ମୁଣ୍ଡା ବସ୍ତିରେ ଛୋଟ ଏକ ଗୋଷ୍ଠୀ ଶୌଚାଳୟକୁ ବଡ଼ ଆକାରରେ ନିର୍ମାଣ କରିବାକୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଥିବା କଂଗ୍ରେସର ପୂର୍ବତନ ଜିଲା ସଭାପତି ବିରେନ ସେନାପତି ଅଭିଯୋଗ କରିଛନ୍ତି। ଫଳରେ ପାହାଡ଼ ତଳି ଓ କୋଏଲ ନଦୀ କୂଳରେ ଥିବା ପଠାଗୁଡ଼ିକରେ ବସ୍ତିବାସିନ୍ଦା ଶୌଚ କରୁଛନ୍ତି। ଫଳରେ ନଦୀ ପ୍ରଦୂଷିତ ହେଉଛି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ରାଉରକେଲା ସହରକୁ ବାହ୍ୟ ମଳମୁକ୍ତ ସହର ଘୋଷଣା କରିଥିବା ବେଳେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆର୍‌ଏମ୍‌ସି ସାନିଟେଶନ ଅଧିକାରୀ ସ୍ବରୂପ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଲେ, ଉକ୍ତ ଶୌଚାଳୟର ସେଫ୍ଟି ଟାଙ୍କି ସଫେଇ କରାଯିବ। ଏହାକୁ ସଫେଇ କରିବା ପାଇଁ ଶୌଚାଳୟ ନିକଟକୁ ସେସପୁଲ ଗାଡ଼ି ଯିବା ସମ୍ଭବ ହେଉନାହିଁ। ଫଳରେ ବାଧ୍ୟ ହୋଇ ଏହାକୁ ବନ୍ଦ କରାଯାଇଛି। ଏହାର ବିକଳ୍ପ ଭାବେ ନିକଟରେ ଏକ ଅଧିକ ସିଟ୍‌ ବିଶିଷ୍ଟ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଉଚ୍ଚ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଲୋକଙ୍କ ସମସ୍ୟାର ସମାଧାନ ହେବ। ତେବେ ଆଗାମୀ ଦିନରେ ଆରଏମସି ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହାଦ୍ୱାରା ସହରର ପରିମଳ ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯାଇପାରିବ ବୋଲି ସେ କହିଥିଲେ।