୪ବର୍ଷ ହେବ ମିଳୁନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୩୦।୮(ବ୍ୟୁରୋ):ପୁରସ୍କାର ପାଇଁ ମନୋନୀତ କରି ଡାକିଲେ, କିନ୍ତୁ ଦେଲେ ନାହିଁ। ଇତିମଧ୍ୟରେ ୪ ବର୍ଷ ବିତିଯାଇଛି। ପୁରସ୍କାର ପାଇବାକୁ ଚାହିଁ ବସିଥିବା ୫୭ ଶିକ୍ଷକଙ୍କ ମଧ୍ୟରୁ ୧୧ଜଣ ଅବସର ନେଇସାରିଥିବାବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ଗଣଶିକ୍ଷା ବିଭାଗର ଏଭଳି ନୀତି ଓ ଆଭିମୁଖ୍ୟ ଶିକ୍ଷକ ସମାଜକୁ ପ୍ରୋତ୍ସାହନ ବଦଳରେ ବହୁତ କଷ୍ଟ ଦେଉଛି। ଏପରିକି ୨୦୧୮ରୁ ବନ୍ଦ ରହିଥିବା ରାଜ୍ୟ ଶିକ୍ଷକ ପୁରସ୍କାର ଏବେ ବି ଆଶା ଓ ଆଶଙ୍କା ଭିତରେ ରହିଛି।
ଶିକ୍ଷକଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ଜିଲାରୁ ଦୁଇଜଣ ଶିକ୍ଷକଙ୍କୁ ‘ରାଜ୍ୟପାଳ ପୁରସ୍କାର’ ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ‘ରାଜ୍ୟ ଶିକ୍ଷକ ପୁରସ୍କାର’ ଭାବେ ନାମିତ କରାଗଲା। ଏଥିପାଇଁ ୨୦୧୭ରେ ରାଜ୍ୟ ସରକାର ରିଜୋଲ୍ୟୁଶନ ବାହାର କରିଥିଲେ। ଏହି ରିଜୋଲ୍ୟୁଶନ ଅନୁସାରେ କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ପୁରସ୍କାର ପାଇଁ ଆବେଦନ କଲେ। ୨୦୧୭ ବର୍ଷ ପାଇଁ ୨୦୧୮ ସେପ୍ଟେମ୍ବର ୫ରେ ୫୭ଜଣ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ୧ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏ ନେଇ ଚିଠି ଲେଖି ଅବଗତ କରାଗଲା। ମନୋନୀତ ହୋଇଥିବା ଶିକ୍ଷକମାନେ ୪ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ପହଞ୍ଚତ୍ ସେଠାରେ ରହିବେ ଓ ୫ ତାରିଖରେ ସେମାନଙ୍କୁ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଯିବ ବୋଲି ସୂଚନା ଦିଆଗଲା। ତେଣୁ ସମସ୍ତ ଶିକ୍ଷକ ୪ ତାରିଖ ସକାଳେ ସେଠାରେ ପହଞ୍ଚତ୍ଥିଲେ। କିନ୍ତୁ ହଠାତ୍‌ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବାତିଲ କରିଦିଆଗଲା। ଏହା ଶୁଣିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଆନନ୍ଦ ଓ ଉତ୍କଣ୍ଠା ମଉଳି ଯାଇଥିଲା। ସେମାନେ ନିରାଶରେ ଘରକୁ ଫେରିଥିଲେ। ପରେ ଜଣାପଡ଼ିଲା ଯେ, ଜଣେ ଘରୋଇ ସ୍କୁଲର ଶିକ୍ଷକ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିବାରୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା। ଅଭିଯୋଗକାରୀଙ୍କ ଅଭିଯୋଗ ଥିଲା, ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ସମସ୍ତ ଶିକ୍ଷକ (ଘରୋଇ, ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଶିକ୍ଷକ)ଙ୍କୁ ଆବେଦନ ପାଇଁ ଅନୁମତି ଦିଆଯାଉ। ଏହାର ବିଚାର କରି ହାଇକୋର୍ଟ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଆବେଦନକାରୀଙ୍କ ଅଭିଯୋଗ ଯଥାର୍ଥ। ତେଣୁ ନୂଆ ରିଜୋଲ୍ୟୁଶନ ଆଣି ତାହାକୁ ୨୦୧୮ରୁ ଲାଗୁ କରାଯାଉ। ହେଲେ ବିଭାଗ ୨୦୧୭ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ବି ପୁରସ୍କାର ଦେଲା ନାହିଁ। ତେଣୁ ସେମାନେ ମଧ୍ୟ ହାଇକୋର୍ଟର ଆଶ୍ରୟ ନେଲେ। ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ରବୀନ୍ଦ୍ରନାଥ ବେହେରା ୨୦୧୯ରେ ସରକାରଙ୍କ ବିରୋଧରେ ହାଇକୋଟରେ ମାମଲା ରୁଜୁ କଲେ। ହାଇକୋର୍ଟ ମାମଲାର ଶୁଣାଣି କରି କହିଥିଲେ, ରବୀନ୍ଦ୍ର ବେହେରା ଓ ସେତେବେଳେ ଯେଉଁମାନଙ୍କୁ ସରକାର ପୁରସ୍କାର ପାଇଁ ମନୋନୀତ କରିଥିଲେ ସେମାନେ ଭବିଷ୍ୟତରେ ଆଉ ଆବେଦନ କରିବାର ସୁଯୋଗ ନାହିଁ। ତେଣୁ ସରକାର ସେମାନଙ୍କୁ ତୁରନ୍ତ ପୁରସ୍କାର ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କଲେ ନାହିଁ। ୨୦୧୭ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ପୁରସ୍କାର ଦେଲେ ନାହିଁ କି ନୂଆ ରିଜୋଲୁଶନ ଆଣି ଆବେଦନପତ୍ର ଗ୍ରହଣ କଲେ ନାହିଁ। ଫଳରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୪ ବର୍ଷ ହେବ ଏହି ପୁରସ୍କାର ଦିଆଗଲା ନାହିଁ। ତେବେ ଚଳିତବର୍ଷ ଏପ୍ରିଲ ୫ରେ ସରକାର ନୂଆ ରିଜୋଲ୍ୟୁଶନ ଆଣିଛନ୍ତି। ୨୦୧୮ରୁ ୪ ବର୍ଷ ପାଇଁ ଆବେଦନ ଗ୍ରହଣ କରି ମନୋନୀତ ଶିକ୍ଷକଙ୍କ ତାଲିକା ଏବଂ ୨୦୧୭ ପୁରସ୍କାର ପାଇଁ ମନୋନୀତ ତାଲିକା ପଠାଇବା ପାଇଁ ଏପ୍ରିଲ ୧୯ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମସ୍ତ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କ ସମେତ ୭ ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ସେପ୍ଟେମ୍ବର ୫ ଗୁରୁଦିବସରେ ପୁରସ୍କାର ଦିଆଯିବାକୁ ଥିବାବେଳେ ଏପର୍ଯ୍ୟନ୍ତ ୪ବର୍ଷ ପାଇଁ କେଉଁ ଜିଲାରୁ କିଏ ମନୋନୀତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ଏପରିକି ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କ ପାଖରେ ଚିଠି ପହଞ୍ଚତ୍ ନ ଥିବାରୁ ଚଳିତବର୍ଷ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଯିବ କି ନାହିଁ ତାହାକୁ ନେଇ ସେମାନେ ଆଶଙ୍କାରେ ଅଛନ୍ତି।
ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଶିକ୍ଷକ ରବୀନ୍ଦ୍ରନାଥ ମୟୂରଭଞ୍ଜ ଜିଲା ସୋରିଷକୋଠ ୟୁଜିୟୁପି ସ୍କୁଲ ପ୍ରଧାନଶିକ୍ଷକ ଥିଲେ। ସେ ପ୍ରାଥମିକ ବର୍ଗରେ ମୟୂରଭଞ୍ଜ ଜିଲାରୁ ମନୋନୀତ ହୋଇଥିଲେ। ୨୦୧୮ ଫେବୃୟାରୀ ୨୮ରେ ସେ ଅବସର ନେଇସାରିଛନ୍ତି। ସେ କହିଛନ୍ତି, ଯେଉଁ ୫୭ଜଣ ଶିକ୍ଷକ ମନୋନୀତ ହୋଇଥିଲେ, ସେମାନଙ୍କ ମଧ୍ୟରେ ୨୮ଜଣ ପ୍ରାଥମିକ ଏବଂ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗରୁ ୨୯ଜଣ ଥିଲେ। ଇତିମଧ୍ୟରେ ୧୧ଜଣ ଅବସର ନେଇସାରିଲେଣି। ଜଣଙ୍କର ଦେହାନ୍ତ ହୋଇସାରିଛି। ତେଣୁ ୨୦୧୮ରୁ ଆମେ ମାନସିକ ଦୁଶ୍ଚିନ୍ତାରେ ରହିଛୁ। ପୁରସ୍କାର ପାଇଁ ମନରେ ଯେଉଁ ଖୁସି ଥିଲା ତାହା ଆଉ ନାହିଁ। ଏଯାଏ ମଧ୍ୟ ଆମକୁ ପୁରସ୍କାର କଥା କେହି ଜଣାଇନାହାନ୍ତି।
ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ମର୍କତ କେଶରୀ ରଏ କହିଛନ୍ତି, ଚଳିତ ବର୍ଷ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ। ସବୁ ଜିଲାରୁ ମନୋନୀତ ଶିକ୍ଷକଙ୍କ ତାଲିକା ଆସିସାରିଛି। ସେହିଭଳି ୨୦୧୭ ବର୍ଷ ପାଇଁ ଯେଉଁମାନଙ୍କୁ ଚୟନ କରାଯାଇଥିଲା, ସେମାନଙ୍କୁ ମଧ୍ୟ ଏଥର ପୁରସ୍କାର ଦିଆଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି।