Categories: ଜାତୀୟ

‘ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ’

ଅହମ୍ମଦାବାଦ,୪।୧୨: ଆଜିକାଲି ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲାର ୯୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅହମ୍ମଦାବାଦର ଜାମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ। ତେଣୁ ଇସଲାମ ବିରୋଧରେ ଯାଇ ମୁସଲମାନ ମହିଳାମାନଙ୍କୁ ଟିକେଟ ଦେଉଥିବା ରାଜନୈତିକ ଦଳମାନେ ତାଙ୍କ ଧର୍ମକୁ ଦୁର୍ବଳ କରୁଛି ବୋଲି ସେ କହିଛନ୍ତି। ମୁସଲମାନ ମହିଳାମାନଙ୍କର ରାଜନୀତିରେ ଅଂଶଗ୍ରହଣକୁ ସେ ନିନ୍ଦା କରିଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ, ଇସଲାମ ଧର୍ମରେ ନମାଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମସଜିଦ୍‌ରେ ନାମଜ ପାଠ କରିବାକୁ ମହିଳାଙ୍କୁ ଅନୁମତି ନାହିଁ। ଯଦି ମହିଳାମାନେ ଏହିପରି ସମସ୍ତଙ୍କ ସାମ୍ନାରେ ଆସିବା ଅନୁମତି ଥାନ୍ତା, ତେବେ ସେମାନଙ୍କୁ ମସଜିଦରୁ ଅଟକାଯାଇ ନ ଥାନ୍ତା। ସେଥିପାଇଁ ଯେଉଁମାନେ ନିର୍ବାଚନରେ ମୁସଲମାନ ମହିଳାଙ୍କୁ ଟିକେଟ ଦିଅନ୍ତି, ସେମାନେ ଇସଲାମ ବିରୋଧରେ ବିଦ୍ରୋହ କରୁଛନ୍ତି।

Share