ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଧାର୍ମିକ ସ୍ଥଳ ବନ୍ଦ ରହିଛି। ଧାର୍ମିକସ୍ଥଳ ଖୋଲିବା ନେଇ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। କୋର୍ଟ ପକ୍ଷରୁ ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଖଣ୍ଡପୀଠରେ ବିଚାରପତି ଏ.ଏସ୍‌.ବୋପନ୍ନା ଏବଂ ବି. ରାମସୁବ୍ରମଣ୍ୟମ୍‌ ମଧ୍ୟ ସାମିଲ ରହିଛନ୍ତି। ଅହମଦାବାଦ ସ୍ଥିତ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ୍‌ ପକ୍ଷରୁ ଆଇନଜୀବୀ ସୁରଜେନ୍ଦୁ ଶଙ୍କର ଦାସ ଦ୍ୱାରା ଧାର୍ମିକସ୍ଥଳ ଖୋଲାଯିବା ନେଇ କରାଯାଇଥିବା ଏକ ଆବେଦନର ବିଚାର କରି କୋର୍ଟ ଏପରି କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ଦ୍ୱାରା ହୋଇଥିବା ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ, ଆମେ କେବଳ ଧାର୍ମିକସ୍ଥଳ ଖୋଲିବା ସମ୍ଭାବନା ନେଇ ନୋଟିସ୍‌ ଜାରି କରିଛୁ। ମତାମତ ମିଳିବା ପରେ ପରବର୍ତ୍ତୀ ବିଚାର କରାଯିବ ବୋଲି ୩ ଜଣିଆ ଖଣ୍ଡପୀଠ କହିଛନ୍ତି।

Share