ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ

ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜମ୍ମୁ-କଶ୍ମୀରର ଉନ୍ନତ ସଂସ୍କୃତି ଓ ସାମାଜିକ ବିବିଧତାର ଭୁଲ୍‌ ଉପସ୍ଥାପନ କରି ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି ଲାଗି କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଉଦ୍ୟମ ଚଳାଇଥିବା ନୂଆଦିଲ୍ଲୀ କହିଛି। ଆସେମ୍ବ୍ଲି ସଦସ୍ୟ ନାଦେର ସାୟେଘ ଓ ଅନ୍ୟ ୧୨ ଜଣ ଏହି ପ୍ରସ୍ତାବ ରଖିଥିଲେ। ଏଥିରେ କୁହାଯାଇଛି, କଶ୍ମୀରୀମାନେ ପ୍ରତିକୂଳତା ଅତିକ୍ରମ କରି ଦୃଢ଼ତା ପ୍ରଦର୍ଶନ କରିବା ସହ ନ୍ୟୁୟର୍କର
ପ୍ରବାସୀ ସମ୍ପ୍ରଦାୟ ମଧ୍ୟରେ ନିଜକୁ ଏକ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ନ୍ୟୁୟର୍କ ରାଜ୍ୟ ଧର୍ମୀୟ ସ୍ବାଧୀନତା, କଶ୍ମୀରୀମାନଙ୍କ ଆନ୍ଦୋଳନ ଓ ଅଭିବ୍ୟକ୍ତି ସମେତ ମାନବାଧିକାରର ସୁରକ୍ଷା ପାଇଁ ପ୍ରୟାସ କରିଥାଏ। ଏହା ଆମେରିକା ସମ୍ବିଧାନରେ ସନ୍ନିହିତ। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଆମେରିକା ପରି ଭାରତ ମଧ୍ୟ ଏକ ଉଜ୍ଜ୍ୱଳ ଗଣତନ୍ତ୍ର। ଭାରତ ଜମ୍ମୁ-କଶ୍ମୀର ସମେତ ସାରା ଦେଶର ଉନ୍ନତ ସାଂସ୍କୃତିକ ବିବିଧତାକୁ ମନାଇଥାଏ, ଯାହାକି ଦେଶର ଏକ ଅବିଚ୍ଛିନ୍ନ ଓ ଅପରିହାର୍ଯ୍ୟ ଅଙ୍ଗ। ନ୍ୟସ୍ତସ୍ବାର୍ଥୀମାନେ ଏହାର ଭୁଲ୍‌ ଉପସ୍ଥାପନ କରି ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି ଲାଗି ଉଦ୍ୟମ କରୁଥିବା ଭାରତୀୟ ଦୂତାବାସ ମୁଖପାତ୍ର କହିଛନ୍ତି।

Share