ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୩୦।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ବୈଜ୍ଞାନିକ ଭାବେ ମନୋନୀତ ହୋଇଛନ୍ତି। ସେ ଆସନ୍ତା ଜାନୁୟାରୀ ମାସରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ପଙ୍କଜିନୀ ଓ ରାଜକୁମାରଙ୍କ ସାନପୁଅ ନିହାର ଏକ ଚାଷୀ ପରିବାରର। ସେ ପିଲାବେଳେ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ନିହାର ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଏବଂ ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପଢ଼ିଥିଲେ। ଏହାପରେ ସେ ବରଗଡ଼ସ୍ଥିତ ବିକାଶ ଜୁନିୟର କଲେଜରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିଥିଲେ। ଜେଇଇ ମେନ୍ସ ଏବଂ ଆଡଭାନ୍ସର ଫଳାଫଳକୁ ନେଇ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି(ଆଇଆଇଏସ୍‌ଟି)ର ଏରୋସ୍ପେସ୍‌ ଇଞ୍ଜିନିୟରିଂ ବିଭାଗରେ ବି-ଟେକ୍‌ରେ ଆଡ୍‌ମିଶନ କରିଥିଲେ। ଚଳିତବର୍ଷ ସେଥିରେ ଗ୍ରାଜୁଏଶନ ଶେଷ ହୋଇଥିଲା ଏବଂ ଆଇଆଇଏସ୍‌ଟି-ଆବଜର୍ପଶନରେ ପାରଙ୍ଗମ ହୋଇଥିବାରୁ ତାଙ୍କୁ ଇସ୍ରୋର ଜଣେ ବୈଜ୍ଞାନିକ ଭାବେ ମନୋନୀତ କରାଯାଇଥିବା ନିହାର କହିଛନ୍ତି। ମା’ ବାପା, ଭାଇ, ଭଉଣୀ ତାଙ୍କୁ ଚାପହୀନ, ମୁକ୍ତ ବାତାବରଣରେ ମନ ପସନ୍ଦର ପାଠ୍ୟକ୍ରମ ପଢ଼ିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଛି ବୋଲି ନିହାର ପ୍ରକାଶ କରିଛନ୍ତି।