ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ ସୃଷ୍ଟି କରିଛି। ଜିଏସ୍‌ଏଲ୍‌ଭି ରକେଟ ସାହାଯ୍ୟରେ ୨,୩୦୦ କି.ଗ୍ରା.ରୁ ଉର୍ଦ୍ଧ୍ୱ ଓଜନର ପେଲୋଡ୍‌କୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯାଇଛି। ଚଳିତ ବର୍ଷ ଇସ୍ରୋ ପାଇଁ ଏହା ଏକ ବଡ଼ ସଫଳତା। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ୍‌ପୋର୍ଟରୁ ଇଓଏସ୍‌-୦୫ ନାମକ ଉକ୍ତ ସାଟେଲାଇଟ୍‌ ଉତ୍‌କ୍ଷେପଣ ହେବାର ପ୍ରାୟ ୧୮ ମିନିଟ୍‌ ପରେ ସଫଳତାର ସହ ନିର୍ଦ୍ଧାରିତ ସବ୍‌-ଜିଓସିନ୍‌କ୍ରୋନିଅସ୍‌ ଟ୍ରାନ୍ସଫର ଅର୍ବିଟ୍‌ରେ ସ୍ଥାପନ ହୋଇଥିବା ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି।
ପୃଥିବୀର ନିମ୍ନ କକ୍ଷରେ ବହୁ ସଂଖ୍ୟାରେ ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ କାର୍ଯ୍ୟ କରୁଥିବାବେଳେ ଇଓଏସ୍‌-୫ ସାଟେଲାଇଟ୍‌ ପୃଥିବୀଠାରୁ ୩୬,୦୦୦ କି.ମି. ଉପରେ ରହି କାର୍ଯ୍ୟ କରିବ। ଏହା ହେଉଛି ଜିଓସିନ୍‌କ୍ରୋନିଅସ୍‌ ଅର୍ବିଟ ଏବଂ ଉକ୍ତ ସ୍ତରରେ ସାଟେଲାଇଟ୍‌ଟି ପୃଥିବୀର ଆବର୍ତ୍ତନ ଗତି ସହ ସମାନ ଭାବେ ଗତି କରିବ। ୨,୩୦୦ କେ.ଜି.ରୁ ଊର୍ଦ୍ଧ୍ୱ ଓଜନ ବିଶିଷ୍ଟ ଉକ୍ତ ସାଟେଲାଇଟ୍‌ ଜିଏସ୍‌ଏଲ୍‌ଭି ଦ୍ୱାରା ବହନ କରାଯାଇଥିବା ସବୁଠୁ ଓଜନଦାର।
‘ଆକାଶରେ ଆଖି’ କୁହାଯାଉଥିବା ଏହି ମିଶନ ସହ ଜଡ଼ିତ ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଉକ୍ତ ସାଟେଲାଇଟ୍‌ ପ୍ରକୃତ ସମୟର ଚିତ୍ର ପ୍ରଦାନ କରିବା ସହ କୃଷି, ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ଦେଶକୁ ସହାୟତା କରିବ। ପୂର୍ବରୁ କେତେକ ବିଫଳତା ପରେ ଏହି ମିଶନର ସଫଳତା ବୈଜ୍ଞାନିକମାନଙ୍କ ମନୋବଳ ବଢ଼ାଇଛି। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, ଜିଏସ୍‌ଏଲ୍‌ଭି ଏଫ୍‌-୧୭ ରକେଟ ଇଓଏସ୍‌-୦୫ ଜିଓ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଓ ଠିକ୍‌ ଭାବରେ ନିର୍ଦ୍ଦିଷ୍ଟ ତଥା ଆବଶ୍ୟକୀୟ କକ୍ଷପଥରେ ସ୍ଥାପନ କରିଥିବାରୁ ସେ ବହୁତ ଖୁସି। ଏହା ଶ୍ରୀହରିକୋଟାରୁ ୧୦୭ତମ ଉତ୍‌କ୍ଷେପଣ ହୋଇଥିବାବେଳେ ଜିଏସ୍‌ଏଲ୍‌ଭିର ୧୯ତମ ମିଶନ ବୋଲି ମହାକାଶ ବିଜ୍ଞାନ ସଚିବ କହିଛନ୍ତି।

Odisha’s No.1 Odia Daily

Share