ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ ଅଧିକ ସେନା ପଠାଇଥିବା ଏହାର ଜଣେ ଅଧିକାରୀ କହିଛନ୍ତି।

ବେକା ଭ୍ୟାଲିରେ ଥିବା ମାଶଘର ଗ୍ରାମ ଉପରେ ଆକ୍ରମଣ ହୋଇଛି। ଲେବାନନ୍‌ରେ ଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଆକ୍ରମଣକୁ ଜୋର୍‌ଦାର କରାଯିବ ବୋଲି ପୂର୍ବରୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଥିଲେ।

ପୂର୍ବ ଲେବାନନ୍‌ର ହେଜବୋଲ୍ଲା ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲୀ ସେନା କହିଛି। ଦକ୍ଷିଣ ଓ ପୂର୍ବ ଲେବାନନ୍‌ରେ ଏୟାରଷ୍ଟ୍ରାଇକ୍‌ ଯୋଗୁ ବହୁ ଘର ଭାଙ୍ଗିଥିବା ବେଳେ ୧୨ ମୃତଦେହ ମିଳିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

Share