ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିସହ ଗାଜାରେ ଇସ୍ରାଏଲ ସୈନିକଙ୍କ କ୍ରମାଗତ ବୋମା ବିସ୍ଫୋରଣ ହେତୁ ମାନବିକ ସଙ୍କଟ ଦେଖାଦେଇଛି। ଆମେରିକା ସମେତ ଅନେକ ଦେଶ ଗାଜାରେ କଟକଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ତେବେ ଇସ୍ରାଏଲ ବର୍ତ୍ତମାନ ଗାଜାରେ ଲଗାଇଥିବା କଟକଣାକୁ କୋହଳ କରିଛି। ଇଜିପ୍ଟକୁ ଗାଜା ଅଞ୍ଚଳର ସାଧାରଣ ନାଗରିକଙ୍କୁ ଜୀବନ ରକ୍ଷାକାରୀ ଜରୁରୀକାଳୀନ ସୁବିଧା ପ୍ରଦାନ କରିବାକୁ ଅନୁମତି ଦେଇଛି ଇସ୍ରାଏଲ। ଗାଜାର ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଅନେକ ପରିବାର ଦିନକୁ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଇଜିପ୍ଟ ଦେଇ ଗାଜାର ଲୋକଙ୍କୁ ଜରୁରୀକାଳୀନ ସହାୟତା ସାମଗ୍ରୀ ପଠାଇବାକୁ ଆମେରିକା ଚେଷ୍ଟା କରୁଛି।

ଏହି ସାମଗ୍ରୀ ପରିବହନ କରୁଥିବା ୨୦ଟି ଟ୍ରକ ଗାଜାରେ ପହଞ୍ଚିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତ, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କ ସହ କଥା ହୋଇଛନ୍ତି ଏବଂ ଗାଜାରେ ମାନବିକ ସହାୟତା ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ୨୦ଟି ଟ୍ରକ ପଠାଇବାକୁ ସେ ଅନୁମତି ଦେଇଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହାମାସ ଆତଙ୍କବାଦୀଙ୍କ ହାତରେ ଏହି ଟ୍ରକଗୁଡ଼ିକୁ ଲାଗିଯାଏ ତେବେ ଆମେରିକା ସହାୟତା ଯୋଗାଇବା ବନ୍ଦ କରିବ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ, ବାଇଡେନଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ଅନୁମୋଦନ କରାଯାଇଛି।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଜା ସହରର ଅହଲି ଆରବୀ ସିଟି ହସ୍ପିଟାଲ ଉପରେ ରକେଟ ଆକ୍ରମଣରେ ପ୍ରାୟ ୫୦୦ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣରେ ଆହତ ଲୋକଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଜାରେ ଚିକିତ୍ସା ଉପକରଣର ଘୋର ଅଭାବ ରହିଛି। ଏଥିସହିତ ଇନ୍ଧନ ଯୋଗୁଁ ଡାକ୍ତରଖାନାଗୁଡ଼ିକରେ ବିଦ୍ୟୁତ ନାହିଁ। ତେବେ ଚିକିତ୍ସା ଉପକରଣ ଯୋଗାଇଦେବାକୁ ମଧ୍ୟ ଆମେରିକା ରାଜି ହୋଇଛି। ଅତିଶୀଘ୍ର ଚିକିତ୍ସା ସହାୟତା ପହଞ୍ଚିବ ବୋଲି ଆଶ୍ୱସନା ଦେଇଛି।

 

Share