ଏଲନ ମସ୍କଙ୍କୁ ଚେତାବନୀ ଦେଲା ଇସ୍ରାଏଲ,ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ରୁହ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୯।୧୦: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା କରେ ତେବେ ଇସ୍ରାଏଲ ମସ୍କଙ୍କର କମ୍ପାନୀ ଷ୍ଟାରଲିଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ। ଇସ୍ରାଏଲ ଏହା ମଧ୍ୟ କହିଛି ହମାସ ବିରୋଧରେ ଲଢ଼େଇରେ ଏହା ସମସ୍ତ ଉପାୟ ବ୍ୟବହାର କରିବ। ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଇସ୍ରାଏଲ କହିଛି।

ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ମସ୍କ ଲେଖିଛନ୍ତି ଗାଜାରେ ଉପସ୍ଥିତ ଥିବା ସମସ୍ତ ଅନ୍ତର୍ଜାତୀୟ ସ୍ତରରେ ପଞ୍ଜୀକୃତ ସହାୟତା ସଂଗଠନକୁ ଷ୍ଟାରଲିଙ୍କ ଯୋଗାଯୋଗ ସୁବିଧା ଯୋଗାଇବ। ମସ୍କଙ୍କ ଘୋଷଣା ଦ୍ୱାରା ଇସ୍ରାଏଲ କ୍ରୋଧିତ ହୋଇଥିଲା। ମସ୍କଙ୍କ ପୋଷ୍ଟକୁ ଜବାବ ଦେଇ ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ ଶୋଲୋମୋ କାରହି ସୋସିଆଲ ମିଡିଆରେ ଲେଖିଛନ୍ତି ଏହି ଯୁଦ୍ଧରେ ଇସ୍ରାଏଲ ସମସ୍ତ ଉପାୟ ବ୍ୟବହାର କରିବ। ଆତଙ୍କବାଦୀ ଘଟଣାରେ ହମାସ ଷ୍ଟାରଲିଙ୍କ ଯୋଗାଯୋଗ ସୁବିଧା ବ୍ୟବହାର କରିପାରିବ। ଏଥିରେ କୌଣସି ସନ୍ଦେହ ନାହିଁ ଏହା କରାଯିବ ଏବଂ ମସ୍କ ମଧ୍ୟ ଏହା ଜାଣନ୍ତି । ହମାସ ହେଉଛି ଆଇଏସ। ଆମର ସମସ୍ତ ଅପହରଣ ହୋଇଥିବା ଶିଶୁ, ଝିଅ ଏବଂ ବୃଦ୍ଧ ଲୋକଙ୍କୁ ମୁକ୍ତ କରିବା ବଦଳରେ ମସ୍କ ଯୋଗାଯୋଗ ସୁବିଧା ଯୋଗାଇବାର ସର୍ତ୍ତ ରଖୁଛନ୍ତି। ଯଦି ମସ୍କ ଏହା କରନ୍ତି ତେବେ, ଆମ ଅଫିସ ଷ୍ଟାରଲିଙ୍କ କମ୍ପାନୀ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ ।

ଗାଜା ଷ୍ଟ୍ରିପରେ ଇସ୍ରାଏଲ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାପୂର୍ବରୁ ଇସ୍ରାଏଲ ଗାଜା ଷ୍ଟ୍ରିପରେ ବିଦ୍ୟୁତ, ଇଣ୍ଟରନେଟ ଏବଂ ଯୋଗାଯୋଗ ସୁବିଧା ବନ୍ଦ କରି ଦେଇଛି। ଏହି କାରଣରୁ ଗାଜା ଷ୍ଟ୍ରିପରେ ରହୁଥିବା ୨୩ ଲକ୍ଷ ଜନସଂଖ୍ୟା ମଧ୍ୟରେ ଯୋଗାଯୋଗ ନଷ୍ଟ ହୋଇଯାଇଛି। ଇସ୍ରାଏଲର ଏହି ପଦକ୍ଷେପକୁ ମଧ୍ୟ ସମାଲୋଚନା କରାଯାଉଛି। ଗାଜାରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସାମାଜିକ ସଂଗଠନ ଏବଂ ଗଣମାଧ୍ୟମମାନେ ଇଣ୍ଟରନେଟ ଏବଂ ଯୋଗାଯୋଗ ବନ୍ଦ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଏଲନ ମସ୍କ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ ମାଧ୍ୟମରେ ଗାଜାରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକୁ ସଂଯୋଗ ସୁବିଧା ଯୋଗାଇବାକୁ ଘୋଷଣା କରିଥିଲେ।

Share