ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନରେ ଆଲୋଚନା କରିଛନ୍ତି। ଏହା ପରେ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଇସ୍ରାଏଲ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାର ସଂକଳ୍ପ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର (୬ ଅଗଷ୍ଟ) ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ, ମୋତେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଫୋନ ଆସିଥିଲା। ଆମେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ବିଶେଷ ରଣନୈତିକ ଭାଗୀଦାରିତାର ବିଭିନ୍ନ ଦିଗରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛୁ, ଯାହା ନିରନ୍ତର ଭାବେ ମଜବୁତ ଓ ବିକଶିତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଏକ୍ସ’ ପୋଷ୍ଟକୁ ବେଞ୍ଜାମିନ ନେତାନ୍ୟାହୁ ପୁନଃପୋଷ୍ଟ କରିଥିଲେ। ସେ ଲେଖିଥିଲେ, ମୋର ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କୁ ଧନ୍ୟବାଦ। ଆମେ ମିଳିତ ଭାବେ ଇସ୍ରାଏଲ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଜାରି ରଖିବୁ।

ଭାରତୀୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପି.ଏମ.ଓ.) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଉଭୟ ନେତା ଭାରତ-ଇସ୍ରାଏଲ ସ୍ବତନ୍ତ୍ର ରଣନୈତିକ ଭାଗିଦାରୀରେ ଘଟୁଥିବା କ୍ରମାଗତ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏଥିସହିତ ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଉଭୟ ନେତା ପରସ୍ପର ସହିତ ଯୋଗାଯୋଗରେ ରହିବାକୁ ସହମତ ହୋଇଛନ୍ତି।

 

 

Odisha’s No.1 Odia Daily

Share