ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍ ସଂସଦ (ନେସେଟ୍)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର ପ୍ରମୁଖ ରାଜନୈତିକ ବିରୋଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ହୋଇଛି । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସଂସଦରେ ନେତାନ୍ୟାହୁ ଜାତୀୟ ଏକତା ପାଇଁ ଆହ୍ୱାନ ଦେଇ ଭାଷଣ ରଖୁଥିବା ସମୟରେ ନଫତାଲି ବେନେଟ୍ ତାଙ୍କୁ ମଝିରେ ଅଟକାଇଥିଲେ । ନେତନ୍ୟାହୁଙ୍କ ପରାମର୍ଶଦାତାଙ୍କର କତାର ସହ କଥିତ ସମ୍ପର୍କ ଏବଂ ୭ ଅକ୍ଟୋବରରେ ହୋଇଥିବା ହମାସ୍ ଆକ୍ରମଣର ତଦନ୍ତକୁ ନେଇ ସେ ସରକାରଙ୍କୁ ତୀବ୍ର ପ୍ରଶ୍ନ କରିଥିଲେ।ଏହାକୁ ନେଇ ସଂସଦରେ ଉତ୍ତେଜନା ବଢ଼ିଥିଲା। ଏହି ସମୟରେ ଦର୍ଶକ ଗ୍ୟାଲେରୀରେ ବସିଥିବା ନେତନ୍ୟାହୁଙ୍କ ପତ୍ନୀ ସାରା ମଧ୍ୟ ବିବାଦ ଭିତରକୁ ଆସିଥିଲେ। ସେ ନିଜ ଆସନରୁ ବେନେଟ୍ଙ୍କୁ ଚିତ୍କାର କରି କିଛି କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ବାକ୍ଯୁଦ୍ଧ ଆରମ୍ଭ ହୋଇଥିଲା।
ସଂସଦରେ ହୋହଲ୍ଲା ଏତେ ବଢ଼ିଯାଇଥିଲା ଯେ ଜାତୀୟ ଏକତା ଉପରେ ଭାଷଣ ଦେଉଥିବା ନେତାନ୍ୟାହୁଙ୍କ ଧ୍ୟାନ ଭାଷଣରୁ ହଟିଯାଇଥିଲା। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଦେଶରେ ଏକତା ପାଇଁ ଆହ୍ୱାନ ଦେଉଥିବା ବେଳେ ଅନ୍ୟପଟେ ତାଙ୍କ ପତ୍ନୀ ଓ ବିରୋଧୀ ନେତାଙ୍କ ମଧ୍ୟରେ ସର୍ବସାଧାରଣରେ ଯୁକ୍ତିତର୍କ ସଭାର ମାହୋଲକୁ ଉତ୍ତେଜନାପୂର୍ଣ୍ଣ କରିଦେଇଥିଲା। ଏହି ଘଟଣା ଇସ୍ରାଏଲ୍ରେ ଚାଲିଥିବା ରାଜନୈତିକ ଅସ୍ଥିରତା ଓ ନେତନ୍ୟାହୁଙ୍କ ନେତୃତ୍ୱକୁ ନେଇ ଉଠୁଥିବା ପ୍ରଶ୍ନକୁ ପୁଣି ଚର୍ଚ୍ଚାକୁ ଆଣିଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ୨୭ରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ବହୁମତ ପାଇନାହିଁ । ଫଳରେ ଦେଶରେ ରାଜନୈତିକ ଅନିଶ୍ଚିତତା ବଢ଼ିଛି।
ଏହି ନିର୍ବାଚନରେ ଗାଦି ଆଇଜେନକୋଟ୍ ସର୍ବାଧିକ ଆସନ ଜିତିଥିବା ନେତା ଭାବେ ଉଭା ହୋଇଛନ୍ତି। ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ରବିବାର ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିବା ରିପୋର୍ଟରେ କୁହାଯାଇଛି । ସଂଖ୍ୟାଲଘୁ ସରକାର ଗଠନର ସମ୍ଭାବନା ଖୋଜିବା ପାଇଁ ଆଇଜେନକୋଟ୍ଙ୍କୁ ୨୮ ଦିନ ସମୟ ମିଳିଛି ।